ନୂଆଦିଲ୍ଲୀ,୨୨।୫: ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ଦିଆଯାଇଥିବା ‘କାକରୋଚ’ (ଅସରପା) ବୟାନ ପରଠାରୁ ସୋସିଆଲ ମିଡିଆରେ ଏକ ନୂଆ ବିତର୍କ ଆରମ୍ଭ ହୋଇଯାଇଛି। ଏହି ବୟାନର ବିରୋଧରେ ଏକ ଦଳ ଗଠନ କରାଯାଇଛି, ଯାହାର ନାମ ‘କାକରୋଚ ଜନତା ପାର୍ଟି’ (CJP) ରଖାଯାଇଛି। ଦେଖୁଦେଖୁ ଏହି ପାର୍ଟିର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୯ ମିଲିୟନରୁ (୯୦ ଲକ୍ଷ) ଅଧିକ ଫଲୋଅର୍ସ ହୋଇସାରିଲେଣି ଏବଂ ଏହି ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଅନ୍ୟପଟେ ଯଦି ଭାଜପା କଥା କହିବା, ତେବେ ଇନଷ୍ଟାଗ୍ରାମରେ ଭାଜପାର ୮୭ ଲକ୍ଷ ଏବଂ କଂଗ୍ରେସର ୧.୩୨ କୋଟି ଫଲୋଅର୍ସ ରହିଛନ୍ତି।
‘କାକରୋଚ ଜନତା ପାର୍ଟି’ ମହାରାଷ୍ଟ୍ରର ଅଭିଜିତ ଦୀପକେଙ୍କ ଦ୍ୱାରା ଗଠନ କରାଯାଇଛି। ଏହି ଦଳର ନାରା ବା ସ୍ଲୋଗାନ ହେଉଛି- ‘ସେକ୍ୟୁଲାର, ସୋସିଆଲିଷ୍ଟ, ଡେମୋକ୍ରାଟିକ, ଲେଜି (ଆଳସ୍ୟ)।’ ମାତ୍ର ଗୋଟିଏ ଦିନରେ ଏହି ପାର୍ଟିର ୪୦ ଲକ୍ଷରୁ ଅଧିକ ଫଲୋଅର୍ସ ବୃଦ୍ଧି ପାଇଛନ୍ତି।
ବାସ୍ତବରେ, ୧୫ ମେ’ରେ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ସିଜେଆଇ ସୂର୍ଯ୍ୟକାନ୍ତ ଏକ ମାମଲାର ଶୁଣାଣି ବେଳେ କିଛି ବେରୋଜଗାର ଯୁବକଙ୍କୁ କାକରୋଚ (ଅସରପା) ସହ ତୁଳନା କରିଥିଲେ। ଯଦିଓ ସିଜେଆଇ ଏହାର ଗୋଟିଏ ଦିନ ପରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ସେ ଏମିତି କିଛି କହିନାହାନ୍ତି।
ପାର୍ଟିର ସଦସ୍ୟତା ପାଇଁ ଯୋଗ୍ୟତା :
ପ୍ରଥମ: ବେରୋଜଗାରୀ (ବେକାରୀ)
ଦ୍ୱିତୀୟ: ଆଳସ୍ୟ ହେବା, ଅର୍ଥାତ୍ ଯେଉଁଠି ଅଛ ସେମିତି ପଡ଼ି ରହିବା।
ତୃତୀୟ: ଅନଲାଇନ ରହିବାର ନିଶା ବା ଅଭ୍ୟାସ ଥିବା।
ଚତୁର୍ଥ: ବୃତ୍ତିଗତ ଭାବେ (Professionally) ନିଜର ଅସନ୍ତୋଷ ବା କ୍ରୋଧ ପ୍ରକାଶ କରିବାର କ୍ଷମତା ଥିବା।
ଅଭିଜିତ ବର୍ତ୍ତମାନ ଆମେରିକାର ବୋଷ୍ଟନ ୟୁନିଭର୍ସିଟିରେ ପବ୍ଲିକ ରିଲେସନ୍ସ (Public Relations) ରେ ମାଷ୍ଟର୍ସ ଡିଗ୍ରୀ କରୁଛନ୍ତି। ସେ ୨୦୨୦ ରୁ ୨୦୨୩ ପର୍ଯ୍ୟନ୍ତ ଆମ ଆଦମୀ ପାର୍ଟି (AAP)ର ସୋସିଆଲ ମିଡିଆ ଟିମର ଜଣେ ସ୍ବେଚ୍ଛାସେବୀ (Volunteer) ଭାବରେ କାର୍ଯ୍ୟ କରିସାରିଛନ୍ତି।