ସନ୍ତାନ ଏଭଳି ହେଲେ ବର୍ବାଦ ହୋଇଯିବ ଘର, ଜାଣନ୍ତୁ କୁପୁତ୍ରଙ୍କ ବିଷୟରେ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରକୁ ନେଇ ସର୍ବଜନବିଦିତ। ତାଙ୍କର ନୀତିକୁ ଅନୁସରଣ କରିବା ଦ୍ୱାରା ରାଜନୀତିଠାରୁ ଆରମ୍ଭ କରି ସାଧାରଣ ଜୀବନରେ ଜଣେ ବ୍ୟକ୍ତି କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥାଏ। ବରଂ ସଫଳତା ପ୍ରାପ୍ତ କରିଥାଏ।
ଆଜିର ନୀତିରେ ଜାଣିବା ଚାଣକ୍ୟ ସନ୍ତାନ କିଭଳି ହେବା ଉଚିତ ସେ ବିଷୟରେ କେଉଁ କଥା କହିଛନ୍ତି।

-ଚାଣକ୍ୟଙ୍କ ମତରେ କୁପୁତ୍ର କୁଳର ମାନ, ମର୍ଯ୍ୟାଦା, ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଥାଏ। ଏଣୁ ଯଦି କୁଳରେ କୁପୁତ୍ର ଜନ୍ମ ନିଏ ତେବେ ପିତୃପୁରୁଷଙ୍କୁ ତର୍ପଣ କରିବାକୁ କେହି ରୁହନ୍ତି ନାହିଁ, ସମସ୍ତଙ୍କର ବିନାଶ ହୋଇଥାଏ।

-ଅପରପକ୍ଷେ ବିଦ୍ୱାନ ପୁତ୍ର ପରିବାରରେ ଖୁସି ଆଣିଥାଏ। ଚାଣକ୍ୟଙ୍କ ମତରେ ଜଣେ ବିଦ୍ୱାନ ପୁରୁଷ ଚନ୍ଦ୍ରମା ସମାନ। ଯେଉଁଭଳି ଚନ୍ଦ୍ରମା ରାତିରେ ନିଜ ପ୍ରକାଶ ଯୋଗୁ ଆଲୋକିତ କରିଥାଏ, ସେହିଭଳି ସଦାଚାରି ପୁତ୍ର କୁଳରେ ପ୍ରକାଶ ଆଣିଥାଏ। ଏହାଫଳରେ କୁଳର ନାମ ଏବଂ ସମ୍ମାନ ବୃଦ୍ଧି ପାଇଥାଏ।

-ଚାଣକ୍ୟଙ୍କ ମତରେ ସନ୍ତାନକୁ ଆଜ୍ଞାକାରୀ ହେବା ଆବଶ୍ୟକ। ପୁଅ ଯଦି ଆଜ୍ଞାକାରୀ ହୋଇଥାଏ ତେବେ ସେ ମା’ବାପାଙ୍କୁ ହଇରାଣ କରି ନ ଥାଏ ଏବଂ ସମସ୍ତ କଥା ମାନିଥାଏ।

-ଚାଣକ୍ୟଙ୍କ ମତରେ ସନ୍ତାନ ମଧ୍ୟରେ ଖରାପ ଅଭ୍ୟାସ ରହିବା ଉଚିତ ନୁହେଁ। ଏହାଦ୍ୱାରା ସେ ମା’ବାପାଙ୍କୁ ଅସୁବିଧାରେ ପକାଇଥାଏ। ଏପରିକି କୁଳର ନାମ ଖରାପ କରିଥାଏ। ଖରାପ ଅଭ୍ୟାସ ଥିବା ବ୍ୟକ୍ତି କେବଳ ନିଜ ବିଷୟରେ ଭାବିଥାନ୍ତି, ସେ କେବେ ନିଜ ପରିବାରର ମାନ ସମ୍ମାନ ବିଷୟରେ ଚିନ୍ତା କରି ନ ଥାନ୍ତି।