ନୂଆଦିଲ୍ଲୀ,୧୬।୯: ଡିଜିଟାଲ ପେମେଣ୍ଟ ଦୁନିଆରେ ଯେଉଁଠି ଭାରତର ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି, ସେଇଠି ଚାଇନା କାରବାରର ଏକ ଅତି ଅନନ୍ୟ ତଥା ହାଇ-ଟେକ ଉପାୟ ଆପଣେଇ ନେଇଛି। ଚାଇନାରେ ଏବେ କିଣାକିଣି କିମ୍ୱା ଯାତ୍ରା ସମୟରେ ଟଙ୍କା ଦେବା ପାଇଁ ନା ସ୍ମାର୍ଟଫୋନର ଆବଶ୍ୟକତା ପଡୁଛି, ନା କ୍ୟୁଆର୍ କୋଡ (QR code) କିମ୍ୱା ଡେବିଟ-କ୍ରେଡିଟ କାର୍ଡର। ଏଠାରେ କେବଳ ସ୍କାନର୍ ଆଗରେ ନିଜ ହାତ ପାପୁଲି ଦେଖାଇ ସେକେଣ୍ଡକ ମଧ୍ୟରେ ପେମେଣ୍ଟ ହୋଇଯାଉଛି। ଏହାକୁ ‘ପାମ ସ୍କାନ ପେମେଣ୍ଟ’ କୁହାଯାଉଛି।
ପାମ ପେମେଣ୍ଟ ପ୍ରକୃତରେ ଏକ ଉନ୍ନତ ବାୟୋମେଟ୍ରିକ ପ୍ରଯୁକ୍ତିବିଦ୍ୟା। ପ୍ରଥମେ ଉପଭୋକ୍ତାଙ୍କୁ ନିଜ ହାତ ପାପୁଲିର ଡାଟା ସିଷ୍ଟମରେ ପଞ୍ଜୀକରଣ (ରେଜିଷ୍ଟ୍ରେସନ) କରିବାକୁ ପଡ଼ିଥାଏ, ଯାହାକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ୱା ୱାଲେଟ ସହିତ ଲିଙ୍କ କରାଯାଇଥାଏ। ଯେତେବେଳେ ଜଣେ ଉପଭୋକ୍ତା କୌଣସି ଷ୍ଟୋର୍, ମେଟ୍ରୋ ଷ୍ଟେସନ କିମ୍ୱା ରେଷ୍ଟୁରାଣ୍ଟରେ ପେମେଣ୍ଟ କରନ୍ତି, ତାଙ୍କୁ କେବଳ ଇନ୍ଫ୍ରାରେଡ ସ୍କାନର୍ ଉପରେ ନିଜ ହାତ ଦେଖାଇବାକୁ ପଡ଼ିଥାଏ। ଏହି ସ୍କାନର୍ ହାତ ପାପୁଲିର ଚର୍ମ ରେଖା ସହିତ ଚର୍ମ ଭିତରେ ଥିବା ରକ୍ତଶିରାର ବିଶେଷ ପ୍ୟାଟର୍ଣ୍ଣକୁ ପଢ଼ିଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ଶିରାଜାଲ ଆଙ୍ଗୁଠି ଚିହ୍ନ (ଫିଙ୍ଗରପ୍ରିଣ୍ଟ) ଭଳି ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ସିଷ୍ଟମ ଡାଟା ମେଳ ଖାଇବା ମାତ୍ରେ ତୁରନ୍ତ ଟଙ୍କା କାଟିନିଏ।
ଭାରତରେ ଡିଜିଟାଲ ପେମେଣ୍ଟ ପାଇଁ UPI ସବୁଠାରୁ ଲୋକପ୍ରିୟ ମାଧ୍ୟମ। ଅବଶ୍ୟ, UPI ମାଧ୍ୟମରେ ଟଙ୍କା ପଠାଇବା ପାଇଁ ଆପଣଙ୍କ ପାଖରେ ସ୍ମାର୍ଟଫୋନ, ଇଣ୍ଟରନେଟ ସଂଯୋଗ ଏବଂ ସିକ୍ୟୁରିଟି ପିନ (PIN) ଦେବା ଆବଶ୍ୟକ ହୋଇଥାଏ। ଏହାର ବିପରୀତରେ, ଚୀନର ପାମ ସ୍କାନ ସମ୍ପୂର୍ଣ୍ଣ ରୂପେ ‘ଡିଭାଇସ-ଫ୍ରି’ (ଡିଭାଇସ ମୁକ୍ତ)। ଅର୍ଥାତ ଯଦି ଆପଣଙ୍କ ଫୋନ ଘରେ ରହିଯାଏ କିମ୍ୱା ତା’ର ବ୍ୟାଟେରୀ ସରିଯାଏ, ତଥାପି ଆପଣ ନିଜ ପାପୁଲି ଦେଖାଇ ପେମେଣ୍ଟ କରିପାରିବେ।
ଚୀନରେ WeChat Pay ଭଳି ପ୍ରମୁଖ କମ୍ପାନୀଗୁଡ଼ିକ ଏହି ସେବାକୁ ଦ୍ରୁତ ଗତିରେ ବିସ୍ତାର କରିଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଫେସ ରେକଗ୍ନିସନ (ଚେହେରା ଚିହ୍ନଟ) ତୁଳନାରେ ପାମ ଭେନ (ପାପୁଲିର ଶିରା) ପ୍ରଯୁକ୍ତି ଅଧିକ ସୁରକ୍ଷିତ ଏବଂ ବ୍ୟକ୍ତିଗତ, କାରଣ କାହାର ହାତର ଭିତର ଶିରାଗୁଡ଼ିକୁ କ୍ଲୋନ କରିବା କିମ୍ୱା ଫଟୋ ଉଠାଇ ନକଲ କରିବା ଅସମ୍ଭବ। ବର୍ତ୍ତମାନ ଚୀନର ସୁପରମାର୍କେଟ, ଜିମ ଏବଂ ମେଟ୍ରୋରେ ଏହି ସୁବିଧା ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି।