Categories: ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍‌ ଡ୍ର’ ରହିଲେ କେଉଁ ଦଳ ହେବ ଚାମ୍ପିୟନ୍‌

ନୂଆଦିଲ୍ଲୀ,୨୦।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୮ରୁ ୨୨ ଜୁନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ଅନୁଷ୍ଠିତ ହେବ। ତେବେ ଏହି ଫାଇନାଲକୁ ନେଇ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ଏବେ ବିସିସିଆଇ ଆଇସିସିକୁ ଏକ ନିୟମ ବିଷୟରେ ପ୍ରଶ୍ନ କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ଏହାର ଉତ୍ତର ପାଇଁ ଭାରତୀୟ ଦଳ ଅପେକ୍ଷା କରିଛି। ତେବେ ପ୍ରଶ୍ନଟି ହେଉଛି ଏହି ମ୍ୟାଚ୍‌ ଯଦି ଡ୍ର’ ହୁଏ ତେବେ ବିଜେତା କେଉଁ ଦଳକୁ ଘୋଷଣା କରାଯିବ। ଆଇସିସି ଏ ବାବଦରେ ନିଷ୍ପତ୍ତି ନେଇ ଆମକୁ ଜଣାଇବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ସାଉଥମ୍ପଟନରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ବିଷୟରେ ଜଣେ ବିସିସିଆଇ ଅଧିକାରୀ କହିଛନ୍ତି, ଏହା ଅନ୍ୟ ଦ୍ୱିପାକ୍ଷିକ ସିରିଜ କିମ୍ବା ଟେଷ୍ଟ ମ୍ୟାଚ ନୁହେଁ, ତେଣୁ ଆମକୁ ବିଭିନ୍ନ ଖେଳ ସ୍ଥିତି ଏବଂ ଏହାର ସମାଧାନ ବିଷୟରେ ଜାଣିବା ଆବଶ୍ୟକ। ଆମେ ତିନୋଟି କୌଳିକ ଜିନିଷ ବିଷୟରେ ଜାଣିବାକୁ ଚାହୁଁ। ଯଦି ମ୍ୟାଚ୍‌ ଡ୍ର, ଟାଇ କିମ୍ବା ଉଭୟ ଦଳର ଗୋଟିଏ ଇନିଂସ ସମାପ୍ତ ନହୋଇ ବର୍ଷା ହେତୁ ମ୍ୟାଚ ପ୍ରଭାବିତ ହୁଏ ତେବେ କଣ ହେବ? ସେ କହିଛନ୍ତି, ଆଇସିସି ଆଗାମୀ ଦିନରେ ଏନେଇ ନିୟମ ପ୍ରକାଶ କରିବ।

Share