ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ବିଚାର କରୁଛି। ଭାରତ ଗସ୍ତ କରିବାକୁ ମନା କରିବାରୁ ଆଇସିସି ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡକୁ ସ୍ଥାନ ଦେଇଛି। ଯାହାକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ତେବେ ଏହି ବର୍ଜନ ନିଷ୍ପତ୍ତି ପାକିସ୍ତାନ କ୍ରିକେଟ୍ ପାଇଁ ଏକ ବଡ଼ ବିପଦ ହୋଇପାରେ।
ବର୍ଜନ କଲେ ପାକିସ୍ତାନ ସାମ୍ନା କରିବ ଏହି ୪ଟି ବଡ଼ ସଙ୍କଟ:
ଆର୍ଥିକ ସଙ୍କଟ: ପ୍ରତିଟି ସଦସ୍ୟ ଦେଶ ଆଇସିସି ସହ ଏକ ଚୁକ୍ତି ସ୍ୱାକ୍ଷର କରିଥାନ୍ତି। ଯଦି ପାକିସ୍ତାନ ଏଥିରୁ ଓହରିଯାଏ, ତେବେ ତାକୁ ମିଳିବାକୁ ଥିବା ବାର୍ଷିକ ପ୍ରାୟ ୩୧୬ କୋଟି ଟଙ୍କା ହରାଇବାକୁ ପଡ଼ିବ। ଆର୍ଥିକ ସ୍ଥିତି ଦୁର୍ବଳ ଥିବା PCB ପାଇଁ ଏହା ଏକ ଶକ୍ତ ଧକ୍କା ହେବ।
ଆଇସିସିର କଠୋର ପ୍ରତିବନ୍ଧକ: ଖେଳରେ ରାଜନୈତିକ ହସ୍ତକ୍ଷେପ ପାଇଁ ଆଇସିସି ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ବାସନ୍ଦ କରିପାରେ। ଏଥିସହ ପାକିସ୍ତାନ ଠାରୁ ଏସିଆ କପ୍ ଏବଂ ଆଗାମୀ ୨୦୨୮ ମହିଳା T20 ବିଶ୍ୱକପ୍ର ଆୟୋଜନ ଅଧିକାର ଛଡ଼ାଇ ନିଆଯାଇପାରେ।
PSL ଉପରେ କଳା ବାଦଲ: ପାକିସ୍ତାନ ସୁପର ଲିଗ୍ (PSL) ର ସଫଳତା ବିଦେଶୀ ଖେଳାଳିଙ୍କ ଉପରେ ନିର୍ଭର କରେ। ଆଇସିସି ନିର୍ଦ୍ଦେଶରେ ଅନ୍ୟ ଦେଶର କ୍ରିକେଟ୍ ବୋର୍ଡ ସେମାନଙ୍କ ଖେଳାଳିଙ୍କୁ PSL ରେ ଖେଳିବା ପାଇଁ NOC ନଦେଇ ପାରନ୍ତି, ଯାହା ଲିଗ୍କୁ ଧ୍ୱଂସ କରିଦେବ।
ଅନ୍ତର୍ଜାତୀୟ ସ୍ତରରେ ଏକଘରକିଆ: ବିଶ୍ୱକପ୍ ବର୍ଜନ କଲେ ପାକିସ୍ତାନ ଅନ୍ୟ ପ୍ରମୁଖ କ୍ରିକେଟ୍ ବୋର୍ଡମାନଙ୍କର ବିଶ୍ୱାସ ହରାଇବ। ଏହାଦ୍ୱାରା ଅନ୍ୟ ଦେଶମାନେ ପାକିସ୍ତାନ ସହ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ଅମଙ୍ଗ ହୋଇପାରନ୍ତି।
PCB ଅଧ୍ୟକ୍ଷ ମୋହସିନ ନାକଭି ଏହି ବିଷୟରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଆଲୋଚନା କରିଛନ୍ତି। ଯଦିଓ ପାକିସ୍ତାନ ଏକ ୧୫ ଜଣିଆ ଦଳ ଘୋଷଣା କରିଛି, ତଥାପି ସରକାରୀ ଅନୁମତି ମିଳିନଥିବାରୁ ଏହା ଏକ ପ୍ରକାର ଅନିଶ୍ଚିତତା ସୃଷ୍ଟି କରିଛି। ଆସନ୍ତା ୭ ଦିନ ମଧ୍ୟରେ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରକାଶ ପାଇବ।
ବିଶେଷଜ୍ଞଙ୍କ ମତରେ, ବାଂଲାଦେଶ ସହ ଏକତା ଦେଖାଇବା ଭିନ୍ନ କଥା କିନ୍ତୁ ବିଶ୍ୱକପ୍ ବର୍ଜନ କରିବା ପାକିସ୍ତାନ କ୍ରିକେଟ୍ ପାଇଁ ଏକ ‘ଆତ୍ମଘାତୀ ପଦକ୍ଷେପ’ ଛଡ଼ା ଆଉ କିଛି ନୁହେଁ।

