Categories: ଖେଳ

ମୃତ୍ୟୁ ପୂର୍ବର କେଇ ଘଣ୍ଟା; ଓ୍ବର୍ନଙ୍କୁ ବଞ୍ଚାଇବାକୁ ସଂଘର୍ଷ କରିଥିଲେ ହେଁ…

ନୂଆଦିଲ୍ଲୀ,୫।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ୱର୍ନଙ୍କ ଅକାଳ ବିୟୋଗ ପୂରା କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି । ମାତ୍ର ୫୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ସେ । ଥାଇଲ୍ୟାଣ୍ଡକୁ ଛୁଟି କାଟିବାକୁ ଯାଇଥିବା ବେଳେ ଓ୍ବର୍ନ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏହି ମହାନ ବୋଲର୍‌ଙ୍କୁ ବଞ୍ଚାଇବା ଲାଗି ତାଙ୍କର ୩ ବନ୍ଧୁ ୨୦ ମିନିଟ୍‌ ଧରି ସବୁ ପ୍ରକାର ପ୍ରୟାସ କରିଥିଲେ । କିନ୍ତୁ ୱର୍ନ ଆଉ ଫେରି ନ ଥିଲେ ।

ଥାଇଲ୍ୟାଣ୍ଡ ପୋଲିସ ଦେଇଥିବା ସୂଚନା ମୁତାବକ, କୋ ସାମଉଇରେ ଥିବା ଗୋଟିଏ ପ୍ରାଇଭେଟ ଭିଲ୍ଲାରେ ଓ୍ବର୍ନ ଓ ତାଙ୍କର ୩ ଜଣ ବନ୍ଧୁ ଛୁଟି କାଟିବାକୁ ଯାଇଥିଲେ । ଶୁକ୍ରବାର ସନ୍ଧ୍ୟା ଯାଏ ସବୁକିଛି ଠିକ୍‌ଠାକ ଚାଲିଥିଲା। ତେବେ ଡିନର ପାଇଁ ଶେନ ଓ୍ବର୍ନ ନ ଆସିବାରୁ ତାଙ୍କର ଜଣେ ବନ୍ଧୁ ଡାକିବା ପାଇଁ ଯାଇଥିଲେ । ସେ ରୁମରେ ପହଞ୍ଚିବା ପରେ ଓ୍ବର୍ନ ଅଚେତ ହୋଇ ପଡ଼ିିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ବନ୍ଧୁମାନେ ତୁରନ୍ତ ଆମ୍ବୁଲାନ୍ସକୁ ଡାକିଥିଲେ। ଏପରିକି ଓ୍ବର୍ନଙ୍କ ମ୍ୟାନେଜର ଜଣଙ୍କ ତୁରନ୍ତ ତାଙ୍କୁ ସିପିଆର୍‌ ଦେଇଥିଲେ । ହେଲେ ଅବସ୍ଥାରେ ସୁଧାର ଆସି ନ ଥିଲା।

ଖବର ପାଇ ଏମର୍ଜେନ୍ସି ରେସପନ୍ସ ଟିମ୍‌ ଭିଲ୍ଲାରେ ପହଞ୍ଚିଥିଲା । ସେମାନେ ମଧ୍ୟ ୧୦ରୁ ୨୦ ମିନିଟ ଧରି ଆଉ ଥରେ ସିପିଆର୍‌ ଦେଇଥିଲେ । ଏହାପରେ ଥାଇଲ୍ୟାଣ୍ଡ ଇଣ୍ଟରନ୍ୟାଶନାଲ ହସ୍ପିଟାଲର ଆମ୍ବୁଲାନ୍ସ ପହଞ୍ଚିଥିଲା । ଶେନ ୱାର୍ଣ୍ଣଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ହସ୍ପିଟାଲରେ ୫ ମିନିଟ ଧରି ପୁଣିଥରେ ତାଙ୍କର ସିପିଆର୍‌ କରାଯାଇଥିଲା । ହେଲେ ଏହାପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୋଲିସ କହିଛି।

ତେବେ ହୃଦଘାତର କିଛି ଘଣ୍ଟା ପୂର୍ବରୁ ଓ୍ବର୍ନ ନିଜ ଦେଶର କ୍ରିକେଟର୍‌ ରଡନୀ ମାର୍ଶଙ୍କ ଦେହାନ୍ତରେ ଟୁଇଟ୍‌ କରି ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ଏହି ଟୁଇଟ୍‌ ପରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

କହିରଖୁଛୁ, ୧୯୯୨ରେ ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଡେବ୍ୟୁ କରିଥିଲେ ଓ୍ବର୍ନ। ଉଭୟ ଦିନିକିଆ ଓ ଟେଷ୍ଟରେ ସେ ୧୦୦୧ ଉଇକେଟ ନେଇଥିଲେ। ସେ ୧୪୫ଟି ଟେଷ୍ଟରୁ ୭୦୮ଟି ଉଇକେଟ ପାଇଥିଲେ। ସେହିପରି ସେ ୧୯୪ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳି ୨୯୩ଟି ଉଇକେଟ ହାସଲ କରିଥିଲେ।

Share