ନୂଆଦିଲ୍ଲୀ,୩୦।୭(ପି.ଟି./ଏଜେନ୍ସି):ରାଜ୍ୟ ସଭାରେ ମଙ୍ଗଳବାର ‘ଅପରେଶନ ସିନ୍ଦୂର’ ଉପରେ ବିତର୍କ ବେଳେ ଗୃହର ନେତା ଜେ.ପି. ନଡ୍ଡା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ପକ୍ଷଙ୍କ ମଧ୍ୟରେ ବାକ୍ୟ ବିନିମୟ ହେବା ପରେ ନଡ୍ଡା ଖାର୍ଗେଙ୍କୁ କ୍ଷମା ମାଗିଛନ୍ତି।
ସଂସଦ ମୌସୁମୀ ଅଧିବେଶନର ସପ୍ତମ ଦିନରେ ଅପରେଶନ ସିନ୍ଦୂର ଓ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଉପରେ ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଘଣ୍ଟାଏରୁ ଅଧିକ ସମୟ ଧରି ନିଜ ବକ୍ତବ୍ୟ ରଖିଥିଲେ। ସେହି ସମୟରେ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନ ନେଇ ଏକ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ଏହା ଉପରେ ନଡ୍ଡା ଟିପ୍ପଣୀ ଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା। ସେ ୧୧ ବର୍ଷ ଧରି ଦେଶର ସେବା କଲେଣି। ତାଙ୍କୁ ନେଇ କେବଳ ଭାଜପା ନୁହେଁ, ସାରା ଦେଶ ଗର୍ବିତ। ଖାର୍ଗେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ କହିବାବେଳେ ତାଙ୍କ ପଦମର୍ଯ୍ୟାଦା ପ୍ରତି ଯନତ୍ବାନ ହେବା ଉଚିତ ଥିଲା। ଖାର୍ଗେ ନିଜ ମାନସିକ ସନ୍ତୁଳନ ହରାଇଦେଲେଣି। ସେ ଭାବପ୍ରବଣତାର ସ୍ରୋତରେ ଭାସିଯାଇ ଦେଇଥିବା ଏହି ମନ୍ତବ୍ୟକୁ ସଂସଦୀୟ ରେକର୍ଡରୁ ବାଦ୍ ଦିଆଯାଉ ବୋଲି ନଡ୍ଡା ଦାବି କରିଥିଲେ। ତେବେ ନଡ୍ଡାଙ୍କ ‘ମେଣ୍ଟାଲ ଇମ୍ବାଲାନ୍ସ’ ମନ୍ତବ୍ୟକୁ ନେଇ ଖାର୍ଗେ ଓ ବିରୋଧୀ ପକ୍ଷ ଆପତ୍ତି ଉଠାଇବା ସହ ପ୍ରବଳ ହଟ୍ଟଗୋଳ କରିଥିଲେ। ଏଥିସହ ନଡ୍ଡାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଖାର୍ଗେ କହିଥିଲେ, ନଡ୍ଡା ହେଉଛନ୍ତି ଏନ୍ଡିଏ ସରକାରର ଜଣେ ମନ୍ତ୍ରୀ, ଯାହାଙ୍କୁ ସେ ସମ୍ମାନ କରନ୍ତି। କିନ୍ତୁ ନଡ୍ଡା ଏପରି ମନ୍ତବ୍ୟ ଦେବା ଲଜ୍ଜାଜନକ ବିଷୟ। ତେଣୁ ସେ କ୍ଷମା ମାଗନ୍ତୁ। ତାଙ୍କୁ ଏମିତି ଛଡ଼ାଯିବ ନାହିଁ। ଏହା ଶୁଣିବା ପରେ ନଡ୍ଡା ତତ୍କ୍ଷଣାତ ଆସନରୁ ଉଠି କହିଥିଲେ, ସେ ନିଜ ଶବ୍ଦକୁ ପ୍ରତ୍ୟାହାର କରିନେଇଛନ୍ତି। ତାଙ୍କ ଭାଷା ଆଘାତ ଦେଇଥିଲେ କ୍ଷମା କରାଯାଉ।

