ଭଉଣୀ ପଠାଇଥିବା ରାକ୍ଷୀକୁ କ’ଣ କଲେ କରୋନା ଆକ୍ରାନ୍ତ ଭାଇ: ଜାଣନ୍ତୁ…

ନୂଆ ଦିଲ୍ଲୀ, ୩୦।୭: କରୋନା (କୋଭିଡ୍‌-୧୯)କୁ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ। କରୋନା ଭୟ ଯୋଗୁ ଏବେ ଆଉ କୌଣସି ପର୍ବପର୍ବାଣୀର ମଜା ରହୁନାହିଁ। ତେବେ ରାକ୍ଷୀକୁ ଆଉ ମାତ୍ର ଅଳ୍ପ କେଇଟା ଦିନ ବାକି ରହିଲା। ଏହି ଦିନ ଭଉଣୀ ତା’ର ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। କରୋନା ଯୋଗୁ ଯେଉଁ ଭଉଣୀ ଭାଇ ପାଖକୁ ଯାଇପାରୁ ନାହାନ୍ତି ସେମାନେ ପୋଷ୍ଟରେ ରାକ୍ଷୀ ପଠାଇଦେଉଛନ୍ତି। ଏହି ସମୟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକି ଦେଖିଲେ ଆଖିରେ ଲୁହ ଆସିଯିବ।

କୋଭିଡ୍‌ କେୟାର ସେଣ୍ଟରରେ ଥିବା ଜଣେ ଭାଇକୁ ରାକ୍ଷୀ ଦେବା ପାଇଁ ତାଙ୍କ ପାଖକୁ ଯିବାକୁ ଭଉଣୀ ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲେ। ମାତ୍ର ସିକ୍ୟୁରିଟି ଗାର୍ଡ ତାଙ୍କୁ ଭିତରକୁ ଯିବାକୁ ମନା କରିଦେଇଥିଲେ। ତେଣୁ ଭାଇ ପାଖରେ ରାକ୍ଷୀ ପହଞ୍ଚାଇ ଦେବାକୁ ସେ ତାଙ୍କୁ ଅନୁରୋଧ କରିଥିଲେ। ଶେଷରେ ସିକ୍ୟୁରିଟି ଏଥିରେ ରାଜି ହୋଇ ଭାଇଙ୍କ ପାଖରେ ରାକ୍ଷୀଟିକୁ ପହଞ୍ଚାଇ ଦେଇଥିଲେ। ଭାଇ ରାକ୍ଷୀ ପାଇବା ପରେ ତାଙ୍କ ବେର୍ଡ ନିକଟରେ ଥିବା ନର୍ସଙ୍କୁ ଡାକି ତାଙ୍କ ହାତରେ ରାକ୍ଷୀ ବାନ୍ଧିଦେଇଥିଲେ। ଏହା ଦେଖି ନର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଭାଇ କହୁଛନ୍ତି, ରାକ୍ଷୀ ବାନ୍ଧିବାର ଉଦ୍ଦେଶ୍ୟ ହେଉଛି ସୁରକ୍ଷା। କରୋନା ପରି ମହାମାରୀରେ ଆମର ଚିକିତ୍ସା କରି ଆପଣମାନେ ସୁରକ୍ଷା ଦେଉଛନ୍ତି। ତେଣୁ ରାକ୍ଷୀ ଭଉଣୀର ହାତରେ ବାନ୍ଧିବା ଉଚିତ୍‌। ଏହା ଶୁଣିବା ପରେ ନର୍ସଙ୍କ ଆଖିରୁ ଲୁହ ବାହାରିଆସୁଛି।

Share