Categories: ଜାତୀୟ

ଜନ୍ମଦିନରେ ବଜରଙ୍ଗବାଲୀଙ୍କୁ କ’ଣ ମାଗିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ, ୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରବିବାର (୧୬ ଅଗଷ୍ଟ) ୫୨ତମ ଜନ୍ମଦିବସ ଥିଲା। ଏହି ବିଶେଷ ଦିବସ ଅବସରରେ କେଜ୍ରିଓ୍ବାଲ ସ୍ତ୍ରୀ ସୁନୀତାଙ୍କ ସହ କନ୍ନାଟ ପ୍ଲେସରେ ଥିବା ହନୁମାନ ମନ୍ଦିର ଦର୍ଶନରେ ଯାଇଥିଲେ। ଏଠାରେ ପ୍ରାର୍ଥନା କରିବା ପରେ କେଜ୍ରିଓ୍ବାଲ୍‌ ବଜରଙ୍ଗବାଲୀଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଦେଶ ଶୀଘ୍ର କରୋନା ମହାମାରୀରୁ ମୁକ୍ତ ହୋଇଯାଉ ବୋଲି ସେ କାମନା କରିଥିଲେ। ହନୁମାନ ମନ୍ଦିରରୁ ବାହାରିବା ପରେ କେଜ୍ରିଓ୍ବାଲ କହିଛନ୍ତି, ‘ମୁଁ ହନୁମାନ ଜୀଙ୍କୁ ପ୍ରାର୍ଥନା କରୁଛି ଯେ ଦିଲ୍ଲୀ ଓ ଦେଶ ଖୁବ୍‌ଶୀଘ୍ର କରୋନାରୁ ମୁକ୍ତି ପାଉ। ଲୋକମାନେ ଶୀଘ୍ର ସୁସ୍ଥ ଲାଭ କରନ୍ତୁ ଏବଂ ପୁଣିଥରେ ସମସ୍ତଙ୍କ ଜୀବନ ସାଧାରଣ ଭାବେ ଫେରିଆସୁ।’ ଏଥିପୂର୍ବରୁ ଶନିବାର ଭାରତର ୭୪ତମ ସ୍ବାଧୀନତା ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ କେଜ୍ରିଓ୍ବାଲ କହିଥିଲେ, କରୋନା ଲାଗି ଚଳିତ ଥର ସେ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ଏଥିସହ ଅଭିନନ୍ଦନ ଜଣାଇବାକୁ ମଧ୍ୟ ତାଙ୍କ ଘରକୁ କେହି ନ ଆସିବା ଲାଗି ସେ ନିବେଦନ କରିଥିଲେ।

Share