Categories: ଖେଳ

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ୍‌

ନର୍ଥ ସାଉଣ୍ଡ,୫ା୧୨: ଅଧିନାୟକ ତଥା ଉଇକେଟ କିପର ଶାଇ ହୋପଙ୍କ ଶତକ ଓ ରୋମାରିଓ ଶେଫର୍ଡଙ୍କ ଦ୍ରୁତ ୪୯ ରନ୍‌ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍‌। ବିଶ୍ୱକପ ବିଫଳତା ପରେ ଆଉ ଏକ ପରାଜୟ ହାସଲ କରିଛି ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୨୫ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ୭ ବଲ୍‌ ବାକିଥାଇ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
ସାର ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଓପନର ଫିଲ ସଲ୍ଟ(୪୫) ଓ ଓ୍ବିଲ ଜ୍ୟାକ୍ସ(୨୬) ପ୍ରଥମ ଉଇକେଟରେ ୭୭ ରନ୍‌ ଯୋଡିଥିଲେ। ସମାନ ସ୍କୋରରେ ଉଭୟ ଓପନର ଆଉଟ ହେବା ପରେ ଜ୍ୟାକ୍‌ କ୍ରଲି ୪୮ ଓ ବେନ୍‌ ଡକେଟ୍‌ ୨୦ ରନ୍‌ କରିଥିଲେ। ତେବେ ହ୍ୟାରୀ ବ୍ରୁକ୍‌ ୭୨ ବଲ୍‌ରୁ ୭୧ ରନ୍‌ କରି ଇଂଲଣ୍ଡକୁ ଏକ ଦୃଢ ସ୍କୋର ପ୍ରଦାନ କରିଥିଲେ। ବ୍ରୁକଙ୍କ ଇନିଂସରେ ୭ ଚୌକା ଓ ୨ ଛକା ସାମିଲ ଥିଲା। ପରେ ଶେଷ ଭାଗରେ ସାମ୍‌ କୁରାନ(୩୮) ଓ ବ୍ରାଇଡେନ୍‌ କାର୍ସ(୩୧*) ରନ୍‌ କରିବାରୁ ଦଳ ୩୨୫ ରନରେ ପହଞ୍ଚିଥିଲା। ଘରୋଇ ଦଳ ପକ୍ଷରୁ ଗୁଡାକେଶ ମୋତି, ଓଶେନ୍‌ ଥୋମାସ୍‌ ଓ ରୋମାରିଓ ଶେଫର୍ଡ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
୩୨୬ ରନ୍‌ ଲକ୍ଷ୍ୟର ପିଛା କରୁଥିବା ବେଳେ ଓ୍ବେଷ୍ଟଇଣ୍ଡିଜକୁ ଏକ ଭଲ ଆରମ୍ଭ ପ୍ରଦାନ କରିଥିଲେ ଓପନର ବ୍ରାଣ୍ଡନ୍‌ କିଙ୍ଗ(୩୫) ଓ ଆଲିକ୍‌ ଅଥାଞ୍ଜେ(୬୬)। ଉଭୟ ପ୍ରଥମ ଉଇକେଟରେ ୧୦୪ ରନ୍‌ ଯୋଡିଥିଲେ। ଅଥାଞ୍ଜେ ୬୫ ବଲ୍‌ ଖେଳି ୯ ଚୌକା ଓ ୨ ଛକା ମାରିଥିଲେ। କେସି କାର୍ଟି ୧୬ ରନ୍‌ କରି ଆଉଟ ହୋଇଥିଲେ। ତେବେ ଅଧିନାୟକ ଶାଇ ହୋପ ଅପରାଜିତ ୧୦୯ ରନ୍‌ କରିଥିଲେ। ୮୩ ବଲ୍‌ ଖେଳି ସେ ୪ ଚୌକା ଓ ୭ ଛକା ମାରିଥିଲେ। ସିମରନ୍‌ ହେଟମେୟର(୩୨) ଓ ରୋମାରିଓ ଶେଫର୍ଡ(୪୯)ଙ୍କୁ ସାଥୀ କରି ଦଳକୁ ମ୍ୟାଚ୍‌ ଜିତାଇଥିଲେ। ଶେଫର୍ଡଙ୍କ ସହିତ ସେ ୮୯ ରନ୍‌ର ଭାଗୀଦାରି କରିଥିଲେ। ଇଂଲଣ୍ଡ ପକ୍ଷରୁ ସାମ କୁରାନ୍‌ ୯.୫ ଓଭରରେ ୯୮ ରନ୍‌ ବ୍ୟୟ କରିଥିଲେ। ଇଂଲଣ୍ଡ ପକ୍ଷରୁ ଗସ୍‌ ଆଟକିନ୍‌ସନ୍‌ ଓ ରେହାନ୍‌ ଅହମଦ୍‌ ୨ଟି ଲେଖାଏ ଉଇକେଟ ନେଇଥିଲେ। ବ୍ରାଇଡେନ୍‌ କାର୍ସ ଓ ଲିଆମ ଲିଭିଙ୍ଗଷ୍ଟୋନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଶାଇ ହୋପ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Share