Categories: ଖେଳ

ଋଣ କରି ଖେଳାଳିଙ୍କୁ ଟଙ୍କା ଦେଲା କ୍ରିକେଟ୍‌ ବୋର୍ଡ

ଆଣ୍ଟିଗୁଆ,୩୦।୩: ମହାମାରୀ କରୋନା ସମୟରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଆର୍ଥିକ ଅବସ୍ଥାକୁ ଖରାପ କରିନେଇଛି। ଅବସ୍ଥା ଏପରି ହୋଇଛି ଯେ ଖେଳାଳିଙ୍କୁ ଦରମା ଦେବା ପାଇଁ ବୋର୍ଡକୁ ଋଣ କରିବାକୁ ପଡିଛି। ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡର ସଭାପତି ରିକି ସ୍କେରିଟ ଏହା ପ୍ରକାଶ କରିଛନ୍ତି। ତେବେ ସେ ଦାବି କରିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବୋର୍ଡର ଋଣ ଏକ ତୃତୀୟାଂଶକୁ ହ୍ରାସ ପାଇଛି। ରିକି ସ୍କେରିଟ ୨୦୧୯ରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ସମାପ୍ତ ହୋଇଛି ଏବଂ ସେ ବର୍ତ୍ତମାନ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ବୋର୍ଡର ଅର୍ଥନୈତିକ ଅବସ୍ଥା ବିଷୟରେ ସ୍କେରିଟ କହିଛନ୍ତି ଯେ, ସେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପରିସ୍ଥିତି ଠିକ ରହିଛି। ଆମର ସବୁଠାରୁ ବଡ ସମସ୍ୟା ହେଉଛି ଯେ ଆମେ ଟଙ୍କା ପାଇବା ପୂର୍ବରୁ ଭବିଷ୍ୟତର ଖର୍ଚ୍ଚ ବିଷୟରେ ଆଲୋଚନା କରିସାରିଛୁ । ଆମର ପ୍ରାୟ ୨୦ ନିୟୁତ ଡଲାର ଋଣ ଥିଲା ଏବଂ ଏହାକୁ ପରିଶୋଧ କରିବାକୁ ଆମକୁ ବାରମ୍ବାର ଋଣ କରିବାକୁ ପଡିଲା। ପାଣ୍ଠି ନାମରେ ଆମର କିଛି ନ ଥିଲା। କରୋନା ସମୟରେ ବୋର୍ଡ ଆହୁରି ଦେବାଳିୟା ହୋଇଯାଇଛି। କର୍ମଚାରୀଙ୍କୁ ଦରମା ଦେବାକୁ ବୋର୍ଡ ପାଖରେ ଟଙ୍କା ନାହିଁ। ମହାମାରୀ ସମୟରେ ମଧ୍ୟ ସମସ୍ତ କର୍ମଚାରୀ ଅଧା ବେତନରେ କାମ କରୁଥିଲେ। ତେଣୁ ଏବେ ବାଧ୍ୟ ହୋଇ ଋଷ କରି ଖେଳାଳିଙ୍କ ଦରମା ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କରୋନା କାରଣରୁ ୨୦୨୦ ମାର୍ଚ୍ଚରୁ ଅନ୍ତର୍ଜାତୀୟ କ୍ରିକେଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସେହି ବର୍ଷ ଜୁଲାଇରେ ୱେଷ୍ଟଇଣ୍ଡିଜ ଦଳର ଇଂଲଣ୍ଡ ଗସ୍ତରୁ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଥିଲା। ଏହା ପରେ ଆଇପିଏଲ ହୋଇଥିଲା ଏବଂ ପରେ ଦ୍ୱିପାକ୍ଷିକ ସିରିଜ ଆରମ୍ଭ ହୋଇଥିଲା। ଏବେ କାରିବିଆନ ଦଳ ଶ୍ରୀଲଙ୍କା ସହିତ ଘରୋଇ ସିରିଜ ଖେଳୁଛି। ଗତ ବର୍ଷ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ୱେଷ୍ଟଇଣ୍ଡିଜରେ ଏହା ପ୍ରଥମ ଘରୋଇ ସିରିଜ।

Share