ହୋବାର୍ଟ,୧୨।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ବିଗ୍ ବ୍ୟାସ୍ ଲିଗ୍ (WBBL)ର ଏକ ମ୍ୟାଚ୍ରେ ଏଭଳି ଏକ ଅଜବ ରନ୍ ଆଉଟ୍ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ହୋବାର୍ଟ ହରିକେନ୍ସ ଏବଂ ଆଡିଲେଡ୍ ଷ୍ଟ୍ରାଇକର୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ବ୍ୟାଟର ଶିନେଲ୍ ହେନରୀ ଇନିଂସର ଶେଷ ବଲ୍ରେ କ୍ରୀଜ୍ ଭିତରେ ପହଞ୍ଚିବା ସତ୍ତ୍ୱେ ରନ୍ ଆଉଟ୍ ହୋଇଯାଇଛନ୍ତି।
ହୋବାର୍ଟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଘରୋଇ ଦଳ ହୋବାର୍ଟ ହରିକେନ୍ସ ପ୍ରଥମେ ବ୍ୟାଟିଂ କରୁଥିଲା। ଇନିଂସର ଶେଷ ଓଭରରେ ଶିନେଲ୍ ହେନରୀ ଷ୍ଟ୍ରାଇକ୍ରେ ଥିଲେ। ଶେଷ ବଲ୍ରେ ସେ ସଟ୍ ଖେଳି ଦ୍ରୁତ ଗତିରେ ଦୁଇ ରନ୍ ପୂରଣ କରିଥିଲେ ଏବଂ ତୃତୀୟ ରନ୍ ନେବା ପାଇଁ ମଧ୍ୟ ଆଗକୁ ବଢ଼ିଥିଲେ। ତେବେ ବିପଦ ଦେଖି ସେ ତୁରନ୍ତ କ୍ରୀଜ୍କୁ ଫେରି ଆସିଥିଲେ ଏବଂ ଠିକ୍ ସମୟରେ ନିଜ ବ୍ୟାଟ୍କୁ କ୍ରୀଜ୍ ଭିତରେ ରଖିଦେଇଥିଲେ।
ଏହି ସମୟରେ ଫିଲ୍ଡର ବଲ୍ଟିକୁ ଉଇକେଟ କିପରଙ୍କ ନିକଟକୁ ଫିଙ୍ଗିଥିଲେ ଏବଂ କିପର ଷ୍ଟମ୍ପ୍ ଭାଙ୍ଗି ରନ୍ ଆଉଟ୍ ଅପିଲ୍ କରିଥିଲେ। ମାମଲା ତୃତୀୟ ଅମ୍ପାୟାରଙ୍କ ନିକଟକୁ ଯିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ଭିଡିଓ ରିପ୍ଲେରୁ ଜଣାପଡ଼ିଥିଲା ଯେ ହେନରୀ ଠିକ୍ ସମୟରେ କ୍ରୀଜ୍ ଭିତରେ ବ୍ୟାଟ୍ ରଖିଥିଲେ ମଧ୍ୟ, ଫିଲ୍ଡରଙ୍କ ଥ୍ରୋ ସିଧା ତାଙ୍କ ମୁଣ୍ଡ ଆଡ଼କୁ ଆସୁଥିବା ଭାବି ସେ ଭୟଭୀତ ହୋଇଯାଇଥିଲେ। ନିଜକୁ ବଞ୍ଚାଇବା ପାଇଁ ସେ ହଠାତ୍ ପଛକୁ ଘୁଞ୍ଚି ଯାଇଥିଲେ, ଫଳରେ ତାଙ୍କ ବ୍ୟାଟ୍ କ୍ରୀଜ୍ ବାହାରକୁ ଚାଲିଆସିଥିଲା। ଠିକ୍ ସେହି ମୁହୂର୍ତ୍ତରେ ଉଇକେଟକିପର ଷ୍ଟମ୍ପ୍ ଭାଙ୍ଗି ଦେଇଥିବାରୁ ତୃତୀୟ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିଲେ।
Savdhani hati, Durghatna ghati! 😭🏏
Catch all the WBBL action LIVE on FanCode 📲
#WBBL #WomensCricket #RunOut https://t.co/pBGCQnH0uu
— FanCode (@FanCode) November 11, 2026
କ୍ରିକେଟ୍ ନିୟମ ଅନୁଯାୟୀ, ଯଦି ବ୍ୟାଟ୍ କ୍ରୀଜ୍ରେ ଥରେ ବାଜିବା ପରେ ଉପରକୁ ଉଠିଯାଇଥାନ୍ତା କିମ୍ବା କ୍ରୀଜ୍ ଭିତରେ ରହିଥାନ୍ତା, ତେବେ ସେ ଆଉଟ୍ ହୋଇନଥାନ୍ତେ। କିନ୍ତୁ ବଲ୍ରୁ ନିଜକୁ ବଞ୍ଚାଇବାକୁ ଯାଇ ସେ ଏବଂ ତାଙ୍କ ବ୍ୟାଟ୍ ସମ୍ପୂର୍ଣ୍ଣ ଭାବେ କ୍ରୀଜ୍ ବାହାରକୁ ଚାଲିଆସିବାରୁ ତାଙ୍କୁ ରନ୍ ଆଉଟ୍ ହେବାକୁ ପଡ଼ିଥିଲା। ବର୍ତ୍ତମାନ ଏହି ରନ୍ ଆଉଟ୍ର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।