କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତା ୨୮ ଜୁଲାଇରେ ସେ ନିଜର ୯୦ତମ ଜନ୍ମଦିନ ପାଳନ କରିଥାନ୍ତେ, ମାତ୍ର ଏହାର ୧୧ ଦିନ ପୂର୍ବରୁ ଅର୍ଥାତ୍ ୧୭ ଜୁଲାଇରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ବାରବାଡୋସ୍‌ରୁ ଆସି କ୍ରିକେଟ୍ ଦୁନିଆରେ ରାଜ୍ କରିଥିବା ସୋବର୍ସଙ୍କୁ କ୍ରିକେଟ୍ ଇତିହାସର ସବୁଠାରୁ ଶ୍ରେଷ୍ଠ ଓ ପ୍ରଭାବଶାଳୀ ଖେଳାଳି ଭାବେ ଗଣନା କରାଯାଏ।

୨୮ ଜୁଲାଇ ୧୯୩୬ରେ ବାରବାଡୋସ୍‌ରେ ଜନ୍ମିତ ସାର୍ ସୋବର୍ସ ୧୯୫୨ରେ ପ୍ରଥମ ଶ୍ରେଣୀ କ୍ରିକେଟ ଏବଂ ୧୯NT ୫୪ରେ ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ। ପରବର୍ତ୍ତୀ ୨୦ ବର୍ଷ ଧରି ସେ ନିଜର ଚମତ୍କାର ବ୍ୟାଟିଂ ଏବଂ ଶାଣିତ ବୋଲିଂ ଦ୍ୱାରା ଟେଷ୍ଟ କ୍ରିକେଟ୍‌କୁ ସମୃଦ୍ଧ କରିଥିଲେ। ବାମହାତୀ ବ୍ୟାଟିଂ ସହ ସେ ବାମହାତୀ ମିଡିୟମ୍ ପେସ୍ ଏବଂ ସ୍ପିନ୍ ବୋଲିଂ ମଧ୍ୟ କରିପାରୁଥିଲେ। ଏହା ସହିତ ସେ ଜଣେ ଚମତ୍କାର ଫିଲ୍ଡର ମଧ୍ୟ ଥିଲେ। ସେ ୧୯୬୫ରୁ ୧୯୭୨ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ ଦାୟିତ୍ୱ ତୁଲାଇ ୩୯ଟି ମ୍ୟାଚ୍‌ରେ ନେତୃତ୍ୱ ନେଇଥିଲେ। ଏଥିସହ କ୍ରିକେଟ ଇତିହାସରେ ଗୋଟିଏ ଓଭରରେ ୬ଟି ଛକା ମାରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଥିଲେ, ଯାହା ସେ କାର୍ଡିଫ୍‌ରେ କାଉଣ୍ଟି ମ୍ୟାଚ୍‌ ସମୟରେ କରିଥିଲେ।

ସାର୍ ସୋବର୍ସଙ୍କ ମହାନତାକୁ ସମ୍ମାନ ଜଣାଇ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ନିଜର ବାର୍ଷିକ ଆୱାର୍ଡ୍ସରେ ସବୁଠାରୁ ବଡ଼ ପୁରସ୍କାର ଅର୍ଥାତ୍ ‘କ୍ରିକେଟର ଅଫ୍ ଦ ଇଅର’କୁ ତାଙ୍କ ନାମରେ ନାମିତ କରିଛି। ଏହାକୁ ‘ସାର୍ ଗାରଫିଲ୍ଡ ସୋବର୍ସ କ୍ରିକେଟର ଅଫ୍ ଦ ଇଅର ଆୱାର୍ଡ’ କୁହାଯାଏ, ଯାହା ପ୍ରତିବର୍ଷ ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କୁ ପ୍ରଦାନ କରାଯାଏ।

ୱେଷ୍ଟଇଣ୍ଡିଜ୍ ପାଇଁ ୯୩ଟି ଟେଷ୍ଟ ମ୍ୟାଚ୍ ଖେଳି ସୋବର୍ସ ୫୭.୭୮ର ଚମତ୍କାର ହାରରେ ୮,୦୩୨ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ୨୬ଟି ଶତକ ଏବଂ ୩୦ଟି ଅର୍ଦ୍ଧଶତକ ସାମିଲ ରହିଛି। ଏହା ସହିତ ସେ ୧୦୯ଟି କ୍ୟାଚ୍ ମଧ୍ୟ ନେଇଥିଲେ। ବୋଲିଂରେ ମଧ୍ୟ ସେ କମାଲ କରି ୯୩ଟି ଟେଷ୍ଟରେ ୨୩୫ଟି ଉଇକେଟ୍ ହାସଲ କରିଥିଲେ। ସେହିପରି ନିଜର ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ସେ ମୋଟ ୩୮୩ଟି ମ୍ୟାଚ୍ ଖେଳି ୫୪.୮୭ ହାରରେ ୨୮,୩୧୪ ରନ୍ (୮୬ଟି ଶତକ ସହ) କରିବା ସହ ୧,୦୪୩ଟି ଉଇକେଟ୍ ନେଇ ଏକ ଅଲିଭା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତାଙ୍କର ଏହି ମହାପ୍ରୟାଣ ସହ ବିଶ୍ୱ କ୍ରିକେଟ୍‌ର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି।

Dharitri – Odisha’s No.1 Odia Daily

Share