ଶାନ୍ତି ଆଲୋଚନା ଚାହୁଁ ନାହାନ୍ତି ପାଶ୍ଚାତ୍ୟ ରାଷ୍ଟ୍ର

ମସ୍କୋ,୨୦।୨ : ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଆଉ ୪ ଦିନ ପରେ ବର୍ଷେ ପୂରିବ। ତେବେ ଯୁଦ୍ଧର ସମାଧାନ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ଆଗ୍ରହ ଦେଖାଉ ନ ଥିବା ମସ୍କୋ ଅଭିଯୋଗ କରିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସାମୂହିକ ଭାବେ ଶାନ୍ତି ପଦକ୍ଷେପ ଲାଗି ଏପର୍ଯ୍ୟନ୍ତ ଆନ୍ତରିକତା ଦେଖାଇ ନାହାନ୍ତି ବୋଲି କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ ରବିବାର କହିଛନ୍ତି। ରୁଷିଆର ପରାଜୟ ଦେଖିବାକୁ ଚାହେଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ କହିଥିବାରୁ ମସ୍କୋ ଏହାର ସମାଲୋଚନା କରିଛି। ଏବେ ମଧ୍ୟ ନେପୋଲିଅନ୍‌ ବୋନାପାର୍ଟଙ୍କ ଅବସ୍ଥାକୁ ମସ୍କୋ ମନେ ରଖିଛି। କ୍ରେମ୍‌ଲିନ ସହ ଫ୍ରାନ୍ସ ରାଷ୍ଟ୍ରପତି ଧୋକାବାଜ କୂଟନୀତି କରୁଥିବା ରୁଷିଆ କହିଛି।

ଯୁଦ୍ଧ ଜାରି ରଖିବାକୁ କେତେକ ରାଷ୍ଟ୍ର ଚାହୁଁଛନ୍ତି। ବାଇଡେନ୍‌ ପ୍ରଶାସନ ଏଫ୍‌-୧୬ ଯୁଦ୍ଧବିମାନ ପଠାଇବାକୁ ୟୁକ୍ରେନ୍‌ ଆମେରିକା କଂଗ୍ରେସ ସଦସ୍ୟମାନଙ୍କୁ ଅନୁରୋଧ କରିଛି। ଆମେରିକା ନିର୍ମିତ ରକେଟ ଦ୍ୱାରା ରୁଷିଆ ମିଶାଇଲ୍‌ ୟୁନିଟ୍‌କୁ ଧ୍ୱଂସ କରିବାକୁ ୟୁକ୍ରେନ୍‌ ସମର୍ଥ ହୋଇପାରିବ।

ସେପଟେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ ରୁଷିଆକୁ ସହାୟତା ନ ଦେବା ପାଇଁ ଚାଇନାକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌ ଯୁଦ୍ଧରେ ବେଜିଂ ମସ୍କୋକୁ ସହାୟତା ଯୋଗାଇଲେ ତା’ର ପରିଣାମ ଭୟାବହ ହେବ ବୋଲି ବ୍ଲିଙ୍କେନ ଚାଇନା କୂଟନୀତିଜ୍ଞ ଓ୍ବାଙ୍ଗ ୟିଙ୍କୁ କହିଛନ୍ତି। ରୁଷିଆର ସାନି ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନ୍‌ ସୈନ୍ୟମାନେ ସିଭେର୍ସ୍କରେ ସପ୍ତାହାନ୍ତ ଯୁଦ୍ଧାଭ୍ୟାସ ଚଳାଇଛନ୍ତି। ବାଖମୁଟ୍‌ ଉତ୍ତରରେ ୩୫ କିଲୋମିଟର ଦୂରରେ ସିଭେର୍ସ୍କ ସହର ଅବସ୍ଥିତ। ଯଦି ରୁଷିଆ ବାଖମୁଟ୍‌କୁ ଅକ୍ତିଆର କରିନିଏ ତେବେ ଏହା ଅଧା ଅବରୋଧ ହୋଇଯିବ। ତେଣୁ ବାଖମୁଟ୍‌କୁ ରୁଷିଆ ଆକ୍ରମଣରୁ ବଞ୍ଚାଇବା ପାଇଁ କିଭ୍‌ ପାଶ୍ଚାତ୍ୟ ସହଯୋଗୀମାନଙ୍କଠାରୁ ଅତ୍ୟାଧୁନିକ ଅସ୍ତ୍ର ସହାୟତା ଚାହୁଁଛି।

Share