Categories: ଜାତୀୟ

ପଶ୍ଚିମବଙ୍ଗରେ ଗଠନ ହେବ ୭ ନୂଆ ଜିଲା

କୋଲକାତା,୧।୮: ପଶ୍ଚିମବଙ୍ଗରେ ୭ନୂତନ ଜିଲା ଗଠନ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଜିଲା ସଂଖ୍ୟା ୩୦ରେ ପହଞ୍ଚିବ। ଏଥିସହ ବୁଧବାର ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ ହେବ ବୋଲି ମମତା ସୂଚନା ଦେଇଛନ୍ତି। କୁହାଯାଉଛି, ୪ରୁ ୫ ଜଣ ନୂଆ ମନ୍ତ୍ରୀ କ୍ୟାବିନେଟରେ ସାମିଲ ହୋଇପାରନ୍ତି। ବର୍ତ୍ତମାନ ବିଭିନ୍ନ ବିଭାଗରେ ମନ୍ତ୍ରୀ ନାହାନ୍ତି। ଏକୁଟିଆ ସେସବୁ ବିଭାଗର ଦାୟିତ୍ୱ ବୁଝିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ପଞ୍ଜାୟତିରାଜ, ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ, ଖାଉଟି ବ୍ୟାପାର ଓ ସ୍ବୟଂସହାୟକ ଗୋଷ୍ଠୀ ବିଭାଗ ଏବେ ମମତାଙ୍କ ଅଧୀନରେ ରହିଛି। ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀ ମନ୍ତ୍ରିମଣ୍ଡଳରୁ ବିଦା ହେବା ପରେ ତାଙ୍କ ଅଧୀନରେ ଥିବା ଶିଳ୍ପ, ସଂସଦୀୟ ବ୍ୟାପାର ଆଦି ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଆସିଛି। ଫଳରେ କ୍ୟାବିନେଟ ସମ୍ପ୍ରସାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ନେଇଛନ୍ତି।

Share