Categories: ଜାତୀୟ

ମମତାଙ୍କ ପାଇଁ ବାଟ ଛାଡ଼ିଲେ ଭବାନୀପୁର ବିଧାୟକ

କୋଲକାତା,୨୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ବିଧାନସଭା ଉପ-ନିର୍ବାଚନ ଲାଗି ଏବେ ରାସ୍ତା ସଫା ହୋଇଯାଇଛି। କାରଣ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସର ନେତା ଶୋଭନ ଦେବ ଚାଟାର୍ଜୀ ବିଧାୟକ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ସେ ଭବାନୀପୁର ବିଧାନସଭା ଆସନରୁ ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଥିଲେ। ଏହି ବିଧାନସଭା ଆସନ ମମତାଙ୍କ ପାରମ୍ପାରିକ ଆସନ ବୋଲି କୁହାଯାଏ। ସେ ୨ଥର ଭବାନୀପୁର ଆସନରୁ ଜିତି ସାରିଛନ୍ତି। କିନ୍ତୁ ବିଧାନସଭା ନିର୍ବାଚନ ସମୟରେ ଯେତେବେଳେ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମ ଆସନରୁ ଲଢ଼ିଥିଲେ ସେତେବେଳେ ଶୋଭନ ଦେବଙ୍କୁ ଏହି ଆସନରୁ ଟିଏମ୍‌ସି ପକ୍ଷରୁ ଟିକେଟ ଦିଆଯାଇଥିଲା। ଅନ୍ୟପଟେ ଇସ୍ତଫା ଦେବା ପରେ ଶୋଭନ କହିଛନ୍ତି, ଏହା ମୁଖ୍ୟମନ୍ତ୍ରୀଙ୍କ ଗଡ଼ ଥିବା ବେଳେ ସେ ପୁଣି ଥରେ ଏଠାରୁ ଲଢ଼ିବାକୁ ଚାହୁଁଛନ୍ତି ବୋଲି ସେ ଜାଣିବାକୁ ପାଇଥିଲେ। ତେଣୁ ସେ ବିନା କୌଣସି ଚାପରେ ଏହି ଆସନକୁ ଖାଲି କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଶୋଭନ କହିଛନ୍ତି।

Share