କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର ଆସନରେ ମମତା ଶିବିରର ପ୍ରାର୍ଥୀ ରବିଉଲ ଆଲମ ଚୌଧୁରୀ ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କରିଛନ୍ତି।
ଚୌଧୁରୀଙ୍କ କହିବା ଅନୁସାରେ, କମ ସମୟ ମଧ୍ୟରେ ଭୋଟରଙ୍କୁ ନୂଆ ନିର୍ବାଚନୀ ଚିହ୍ନ ସମ୍ପର୍କରେ ଅବଗତ କରାଇବା କଷ୍ଟକର। ଦଳୀୟ କର୍ମୀଙ୍କ ସହ ଆଲୋଚନା ପରେ ସେ ନାମାଙ୍କନ ପ୍ରତ୍ୟାହାର କରିବାର ନିଷ୍ପତ୍ତି ନେଇଥିବା କହିଛନ୍ତି। ଏନେଇ ସେ ନିଜ ନେତୃତ୍ୱକୁ ମଧ୍ୟ ଜଣାଇଥିବା କହିଛନ୍ତି।
ଚୌଧୁରୀ କହିଛନ୍ତି ଯେ, ନିର୍ବାଚନ ପ୍ରଚାର ପାଇଁ କର୍ମୀମାନଙ୍କୁ ପଠାଯାଉନାହିଁ। ଏହା ସହ ନୂଆ ନିର୍ବାଚନୀ ଚିହ୍ନ ମଧ୍ୟ ଏକ ବଡ଼ ପ୍ରସଙ୍ଗ ହୋଇଛି। ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବାରୁ ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଶାସନିକ ଭବନକୁ ଯାଇ ନାମାଙ୍କନ ପ୍ରତ୍ୟାହାର କରିବେ ବୋଲି କହିଥିଲେ।
ଏହା ପୂର୍ବରୁ ଶୁକ୍ରବାର ନନ୍ଦୀଗ୍ରାମ ଉପନିର୍ବାଚନରେ ମମତା ବାନାର୍ଜୀ ଶିବିରର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ମଧ୍ୟ ନାମାଙ୍କନ ପ୍ରତ୍ୟାହାର କରିଥିଲେ। ନିର୍ବାଚନ କମିଶନ ମମତା ଶିବିରକୁ ନୂଆ ଦଳୀୟ ନାମ ଓ ନିର୍ବାଚନୀ ଚିହ୍ନ ଦେବା ପରେ ଏହି ଘଟଣା ଘଟିଥିଲା।
ନନ୍ଦୀଗ୍ରାମରେ ସଞ୍ଚିତାଙ୍କ ନାମାଙ୍କନ ପ୍ରତ୍ୟାହାର ପରେ ମମତା ବାନାର୍ଜୀଙ୍କ ଶିବିର କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବା କଥା ଘୋଷଣା କରିଥିଲା।
ରେଜିନଗରରେ ମଧ୍ୟ ପ୍ରାର୍ଥୀ ଓହରିଯିବା ଫଳରେ ଉପନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଶିବିର ପାଇଁ ନୂଆ ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି। ନନ୍ଦୀଗ୍ରାମ ଓ ରେଜିନଗରଦୁଇଟି ଆସନରେ ଉପନିର୍ବାଚନ ଅକ୍ଟୋବର ୬ରେ ହେବାକୁ ଥିବା ରିପୋର୍ଟ ରହିଛି।