Categories: ଜାତୀୟ

ଖୋଲିବ ସେଲୁନ, ଚାଲିବ ବସ୍‌

କୋଲକାତା,୨୮।୬: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ହେଲେ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟରେ କୋଭିଡ କଟକଣାକୁ ଜୁଲାଇ ୧୫ ପର୍ଯ୍ୟନ୍ତ ଆହୁରି ବୃଦ୍ଧି କରିଛନ୍ତି। ହେଲେ ସରକାର ଅନେକ କ୍ଷେତ୍ରରେ ସର୍ତ୍ତମୂଳକ ଗାଇଡଲାଇନ୍‌ ଜାରି କରିଛନ୍ତି। ପୂର୍ବରୁ ଜାରି ହୋଇଥିବା କୋଭିଡ୍‌ କଟକଣା ଜୁଲାଇ ୧ ତାରିଖରେ ଶେଷ ହେବ। ପରେ ନୂତନ ଗାଇଡ୍‌ଲାଇନ କାର୍ଯ୍ୟକାରୀ ହେବ।

ସରକାରଙ୍କ ନୂଆ ଗାଇଡ୍‌ଲାଇନ ଅନୁଯାୟୀ, ୧ ତାରିଖରୁ ରାଜ୍ୟରେ ଥିବା ସେଲୁନ, ଜିମ୍‌ ଏବଂ ବିୟୁଟି ପାର୍ଲର ୫୦ ପ୍ରତିଶତ କ୍ଷମତା ସହ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିଛି।

ବ୍ୟାଙ୍କ ଓ ଅନ୍ୟ ଆର୍ଥିକ କାରବାର କରୁଥିବା ସଂସ୍ଥା ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଳିବ । ଘରୋଇ ଓ ସରକାରୀ ବସ୍‌ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ। ହେଲେ ବସ୍‌ କର୍ମଚାରୀଙ୍କୁ କରୋନା ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି। ପରିବା ଦୋକନ ସକାଳ ୬ଟାରୁ ଦିନ ୧୨ ଯାଏ ଖୋଲିବ। ଅନ୍ୟ ମାର୍କେଟଗୁଡିକ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଗାଇଡ୍‌ଲାଇନରେ ଉଲ୍ଲେଖ କରାଯାଇଛି।

Share