୧,୪୦୦ କି.ମି. ଯାଇ ଦିଲ୍ଲୀ ପ୍ରଫେସରଙ୍କୁ ହତ୍ୟା କରିଥିଲେ ପଶ୍ଚିମବଙ୍ଗ ଦମ୍ପତି

ନୂଆଦିଲ୍ଲୀ,୮ା୬: ଦିଲ୍ଲୀ ୟୁନିଭର୍ସିଟିର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ଗତ ବୁଧବାର ପୂର୍ବ ଦିଲ୍ଲୀର ବସୁନ୍ଧରା ଏନ୍‌କ୍ଲେଭସ୍ଥିତ ସତ୍ୟମ ଆପାର୍ଟମେଣ୍ଟରେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ସହ ଜଡ଼ିତ ପଶ୍ଚିମବଙ୍ଗର ଏକ ଦମ୍ପତିଙ୍କୁ ରବିବାର ଗିରଫ କରାଯାଇଛି। ଏକ ସମ୍ପତ୍ତି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି। ଦେବୋସ୍ମିତାଙ୍କୁ ହତ୍ୟା କରିବା ପାଇଁ ଉକ୍ତ ଦମ୍ପତି ପଶ୍ଚିମବଙ୍ଗରୁ ପାଖାପାଖି ୧,୪୦୦ କି.ମି. ଯାତ୍ରା କରିଥିଲେ। ଗୁରୁବାର ଅପରାହ୍ନରେ ଅଶୋକ ନଗର ପୋଲିସକୁ ଏକ ଫୋନ୍‌ କଲ ଯୋଗେ ଦେବୋସ୍ମିତାଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଥିଲା। ଘର ବାହାର ପଟୁ ତାଲା ପଡ଼ିଥିବାରୁ ପୋଲିସ ତାଲା ଭାଙ୍ଗି ଘରେ ପଶିବା ପରେ ମୃତଦେହ ପଡ଼ିଥିବା ଦେଖିଥିଲା। ତୁରନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ପୋଲିସ ପଶ୍ଚିମବଙ୍ଗର ବର୍ଦ୍ଧମାନରେ ପହଞ୍ଚତ୍ଥିଲା। ସେଠାରୁ ରାମପ୍ରସାଦ ଦାସ ଓ ବନଶ୍ରୀ ଦାସଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନାବାଳକ ପୁଅକୁ ମଧ୍ୟ ପୋଲିସ ଅଟକ ରଖିଛି। ଅଧିକ ତଦନ୍ତ ପାଇଁ ପୋଲିସ ଉକ୍ତ ଦମ୍ପତିଙ୍କୁ ରିମାଣ୍ଡରେ ଦିଲ୍ଲୀ ନେଇ ଜେରା କରିବା ଆଶା କରାଯାଉଛି। ସୂଚନାଯୋଗ୍ୟ, ଦେବୋସ୍ମିତା ୫ ବର୍ଷ ତଳେ ବିବାହ କରିଥିଲେ ମଧ୍ୟ ୨୦୨୨ରୁ ଉକ୍ତ ଆପାର୍ଟମେଣ୍ଟ ଫ୍ଲାଟ୍‌ରେ ଏକାକୀ ରହୁଥିଲେ। ତାଙ୍କ ସ୍ବାମୀ ବେଙ୍ଗାଲୁରୁରେ ରହନ୍ତି।

Dharitri – Odisha’s No.1 Odia Daily

Share