କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ ମାମଲା ରୁଜୁ ହୋଇଥିଲା, ସେଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ସେ ରବିବାର ଘୋଷଣା କରିଛନ୍ତି । ପୁରୁଲିଆରେ ଆୟୋଜିତ କୁର୍ମି ସମୁଦାୟର କରମ ଉତ୍ସବରେ ଯୋଗଦେଇ ସେ ଏହି ଘୋଷଣା କରିଥିଲେ।
୨୦୨୫ରେ କୁର୍ମି ସମୁଦାୟ ପକ୍ଷରୁ ଅନୁସୂଚିତ ଜନଜାତି (ST) ମାନ୍ୟତା ସମେତ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରାଯାଇଥିଲା। ପଶ୍ଚିମବଙ୍ଗର ପଶ୍ଚିମ ଜିଲାଗୁଡ଼ିକରେ ରାସ୍ତା ଓ ରେଳ ଅବରୋଧ ମଧ୍ୟ ହୋଇଥିଲା। ଏହି ଆନ୍ଦୋଳନ ସମୟରେ କୁର୍ମି ସମୁଦାୟର ଲୋକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକ ଏବେ ପ୍ରତ୍ୟାହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୁର୍ମାଲି ଓ ରାଜବଂଶୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ସରକାର ପଦକ୍ଷେପ ନେବ ବୋଲି ଅଧିକାରୀ କହିଛନ୍ତି। ଏହାସହ କୁର୍ମି ସମୁଦାୟର ବିକାଶ ପାଇଁ ଚଳିତ ବଜେଟ୍ରେ ୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ଏବଂ ଆଗାମୀ ଦିନରେ ଏହି ରାଶି ବଢ଼ାଯିବ ବୋଲି ସେ କହିଛନ୍ତି। ସେହିପରି କୁର୍ମି ବିକାଶ ବୋର୍ଡକୁ ପୁଣି ସକ୍ରିୟ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
କୁର୍ମି ସମୁଦାୟର ପ୍ରତିନିଧିମାନଙ୍କ ଅନୁରୋଧ ଆଧାରରେ ସେମାନଙ୍କୁ ପ୍ରସ୍ତାବିତ Uniform Civil Code (UCC)ର ପରିସରରୁ ବାହାରେ ରଖାଯାଇଥିବା ନେଇ ମଧ୍ୟ ଅଧିକାରୀ ଉଲ୍ଲେଖ କରିଥିବା ରିପୋର୍ଟ ଆସିଛି। ତେବେ UCC ସମ୍ପର୍କିତ ଏହି ବ୍ୟବସ୍ଥାର ଆଇନଗତ ବିବରଣୀ ନେଇ ଅଧିକ ସ୍ପଷ୍ଟତା ଆବଶ୍ୟକ। ଶୁଭେନ୍ଦୁ ଅଧିକାରୀ ତାଙ୍କ ଅଭିଭାଷଣରେ ପୂର୍ବ ସରକାରଙ୍କ ନୀତିକୁ ନେଇ ମଧ୍ୟ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ, ତାଙ୍କ ସରକାର ନିର୍ବାଚନ ପୂର୍ବରୁ କୁର୍ମି ସମୁଦାୟକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ ବୋଲି ସେ କହିଛନ୍ତି।