Categories: ଜାତୀୟ

‘ନିଆଁ ସହ ଖେଳ ନାହିଁ’: ଶାହଙ୍କୁ ମମତାଙ୍କ ଜବାବ

କୋଲକାତା,୬ ।୫: ପଶ୍ଚିମବଙ୍ଗରେ ଶାସକ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଥା କଟାକଟି ଲାଗି ରହିଛି । ଗୁରୁବାର ସ୍ୱରଷ୍ଟ୍ରମନ୍ତ୍ରୀ ଅମିତ ଶାହ ସିଏଏ ଓ ରାଜ୍ୟର ଆଇନ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଆଉ ତୁରନ୍ତ ଏହାର ଜବାବ ରଖିଛନ୍ତି ଦିଦି । ମମତା କହିଛନ୍ତି ଭାଜପା କେବଳ କଥା କହି ଜାଣିଛି ।
ସିଏଏକୁ ନେଇ ମମତା କହିଛନ୍ତି ଏହି ବିଲ୍ ଲ୍ୟାପ୍ସ ହୋଇଯାଇଛି । ଏହି ବିଲ୍‌କୁ ପାର୍ଲାମେଣ୍ଟରେ କାହିଁକି ଅଣାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଁ ଚାହୁଁନି ନାଗରିକଙ୍କ ଅଧିକାର ଉପରେ ଅଙ୍କୁଶ ଲଗାଯାଉ । ଆମକୁ ସମସ୍ତଙ୍କ ସହ ରହିବାର ଅଛି, ଏକତା ଆମର ଶକ୍ତି ବୋଲି ଦିଦି କହିଛନ୍ତି । ମମତା ଆହୁରି ମଧ୍ୟ କହିଛନ୍ତି ଶାହ ବଙ୍ଗାଳି ଓ ହିନ୍ଦି ଭାଷାଭାଷି ସମ୍ପ୍ରଦାୟ ମଧ୍ୟରେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଭେଦଭାବ କରିବା ଜାଣିଛନ୍ତି । ଦେଶର ଲୋକତାନ୍ତ୍ରିକ ଢାଞ୍ଚାକୁ ଧ୍ୱଂସ କରିବାକୁ କିଛି ନ କରନ୍ତୁ, ନିଆଁ ସହ ନ ଖେଳନ୍ତୁ ଲୋକେ ଏହାର କଡା ଜବାବ ଦେବେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ସିଲିଗୁଡିରେ ଏକ ଜନସଭାକୁ ଉଦବୋଧନ ଦେଇ ଶାହ କହିଥିଲେ ଟିଏମ୍‌ସି ଭୁଲ କଥା ପ୍ରଚାର କରୁଛି ଯେ ସିଏଏ ଏଠାରେ ଲାଗୁ ହେବ ନାହିଁ । ହେଲେ କରୋନା ଶେଷ ହେବା ପରେ ପରେ ହିଁ ଏଠାରେ ସିଏଏ ଲାଗୁ ହେବ ବୋଲି ଶାହ କହିଛନ୍ତି । ଏହାଦ୍ୱାରା ପଶ୍ଚିମବଙ୍ଗରେ ଅନୁପ୍ରବେଶ ବନ୍ଦ ହେବ ବୋଲି ଶାହା କହିଥିଲେ ।

Share