Categories: ଜାତୀୟ

ପଶ୍ଚିମବଙ୍ଗ ଭାଜପାରେ ଘରକଳି ପଦାରେ, ଶାହାଙ୍କ ଗସ୍ତ ପୂର୍ବରୁ ୧୫ ପଦାଧିକାରୀଙ୍କ ଇସ୍ତଫା…

କୋଲକାତା, ୨।୫ : ପଶ୍ଚିମବଙ୍ଗ ଭାଜପାରେ ଘରକଳି ବଢ଼ିବାରେ ଲାଗିଛି। ଏବେ ଏହା ପଦାରେ ପଡ଼ିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ବଙ୍ଗଳାରେ ଦଳର ମତଭେଦ ସମାଧାନର ଦାୟିତ୍ୱ ଗ୍ରହଣ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଶାହା ଆସନ୍ତା ମେ’ ୪ରେ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ତାଙ୍କ ଗସ୍ତ ପାଇଁ ଏକ ସପ୍ତାହରୁ କମ ସମୟ ଥିବାବେଳେ କୋଲକାତାର ଉତ୍ତର ୨୪ ପରଗଣା ଜିଲାର ବାରାସାତ ସାଂଗଠନିକ କମିଟିର ୧୫ ଜଣ ପଦାଧିକାରୀଙ୍କ ଇସ୍ତଫା ଦେଇଛନ୍ତି।

ଦଳର ନେତାଙ୍କ ମଧ୍ୟରେ ଅସନ୍ତୋଷ ସାମ୍ନାକୁ ଆସିବା ପରେ ଭାଜପା ହାଇକମାଣ୍ଡ ରାଜ୍ୟ ୟୁନିଟକୁ ପାର୍ଟି ଭିତରେ ଥିବା ଆଭ୍ୟନ୍ତରୀଣ ବିବାଦର ଅନ୍ତ ଘଟାଇବାକୁ ଏବଂ ଶାହାଙ୍କ ଗସ୍ତ ପୂର୍ବରୁ  ଏକ ମିଳିତ ଭାବମୂର୍ତ୍ତି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉପନିର୍ବାଚନରେ ପରାଜୟ ପରେ ଦଳ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି। ଉପ-ନିର୍ବାଚନରେ ଆସାନସୋଲ ଲୋକସଭା ଆସନ ବଜାୟ ରଖିବାରେ ଦଳ ବିଫଳ ହୋଇଥିଲା। ରାଜ୍ୟ ସଚିବଙ୍କ ସମେତ ତିନିଜଣ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହା ବ୍ୟତୀତ ନଦିଆର ୧୪ ଟି ଜିଲାସ୍ତରୀୟ ପଦାଧିକାରୀ ଉପ-ନିର୍ବାଚନ ଫଳାଫଳର ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେଇଥିଲେ।

ଖବର ମୁତାବକ, ଉତ୍ତର ୨୪ ପରଗଣା ଜିଲ୍ଲାର ସମସ୍ତ ଅସନ୍ତୁଷ୍ଟ ସଦସ୍ୟ ଜିଲା ସଭାପତିଙ୍କ ପକ୍ଷପାତିତା ନେଇ ଅଭିଯୋଗ କରିଛନ୍ତି। ସେ ପୁରାତନ ତଥା ବିଶ୍ୱସ୍ତ କର୍ମୀମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି। ଅସନ୍ତୁଷ୍ଟ ଭାଜପାକର୍ମୀ ତାପସ ମିତ୍ର ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି।

ଇସ୍ତଫା ଦେଇଥିବା ଜଣେ ପଦାଧିକାରୀ ଶ୍ୟାମଲ ରାୟ କହିଛନ୍ତି, ସେ ତାଙ୍କ ନିକଟତର ଲୋକଙ୍କୁ ପ୍ରାଥମିକତା ଦେଉଛନ୍ତି। ଏହା ବ୍ୟତୀତ ସେ ତୃଣମୂଳ କଂଗ୍ରେସ ନେତାଙ୍କ ସହ ମଧ୍ୟ ଜଡିତ ଅଛନ୍ତି ଏବଂ ନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀଙ୍କୁ ସହାୟତା କରୁଛନ୍ତି।

Share