ଅତାବିରା,୭।୧୧(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା(ଗମ୍ଭାଟିକ୍ରା) ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ, ଉକ୍ତ ଗ୍ରାମର ରମେଶ ମହାକୁର(୫୫) ଏବଂ ରିଙ୍କୁ ବର୍ଗେ (୨୫) । ପୋଲିସ୍ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ମୃତକଙ୍କ ଶବକୁ ଶବ ସଂରକ୍ଷଣ ଗୃହରେ ରଖାଯାଇ ଥିବାବେଳେ ରବିବାର ପୂର୍ବାହ୍ନରେ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗ୍ରାମରେ ମୃତ ରମେଶଙ୍କ ଏକ ପୋଖରୀ ରହିଛି। ସେଠାରେ ସେ ମାଛଚାଷ କରିଛନ୍ତି। ଶନିବାର ମଧ୍ୟାହ୍ନରେ ମୃତ ରମେଶ ଓ ରିଙ୍କୁ ପୋଖରୀରେ ଜାଲ ପକାଇ ମାଛ ମାରିବାକୁ ପଶିଥିଲେ । କିନ୍ତୁ ପୋଖରୀ ଭିତରେ ଜାଲ ସହିତ ଛନ୍ଦି ହୋଇ ବୁଡ଼ି ଯାଇଥିଲେ ଏବଂ ଆଉ ବାହାରି ପାରି ନଥିଲେ । ଖବର ପାଇ ପରିବାର ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ପହଞ୍ଚି ଖୋଜାଖୋଜି କରିଥିଲେ। ସେଠାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅତାବିରା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଦିପାବଳୀ ପୂର୍ବଦିନ ଗ୍ରାମରେ ଏଭଳି ଅଘଟଣ ଗ୍ରାମବାସୀଙ୍କୁ ସ୍ତବ୍ଧ ଓ ଶୋକାଭିଭୁତ କରି ପକାଇଛି।