ବରଗଡ଼,୧୬ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଜଣେ ଯୁବକ ଘରକୁ ଫେରିବା ବାଟରେ ମୃତ୍ୟୁ ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ମୃତ ଯୁବକ ହେଲେ, ଉକ୍ତ ଗ୍ରାମର ନେହେରୁ ବାଗଙ୍କ ପୁଅ ଲଲୁ(୨୨)।
ସୂଚନାନୁଯାୟୀ, ସେ ପରିବାରର ଅଭାବ ଅନଟନ ଦୂର କରିବା ପାଇଁ ଦାଦନ ଖଟିବାକୁ ଦିଲ୍ଲୀ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ସମୟରେ ହଠାତ୍ ମଧ୍ୟପ୍ରଦେଶର ଭୋପାଳଠାରେ ଅସୁସ୍ଥ ହୋଇଯାଇଥିଲେ। ତାଙ୍କ ସାଙ୍ଗରେ ଗାଁର ପିଲାମାନେ ସୂର୍ଯ୍ୟ ସାହୁ, ଜାଗେ ମାହାର, ତରଣୀ ସେଠ, ରୋହିତ ଭୋଇ ଥିଲେ। ଫଳରେ ଅସୁସ୍ଥ ହେବା ଜାଣି ରେଳବାଇ ପୋଲିସ ଭୋପାଳର ଏକ ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଏକ ଗାଡ଼ି ସହାୟତାରେ ତାଙ୍କୁ ନିଜ ଗାଁ ଝାରବନ୍ଧକୁ ଅଣାଯାଇଥିଲା। ଶନିବାର ମୃତଦେହ ଗ୍ରାମକୁ ପହଞ୍ଚିଥିଲା। ପୁଅର ମୃତ୍ୟୁ ପରେ ବିଧବା ମା’ ଅସହାୟ ହୋଇ ପଡ଼ିଛନ୍ତି। ସେହିପରି ମୃତଦେହ ଘରକୁ ଆଣିବା ପାଇଁ ଆମ୍ବୁଲାନ୍ସ ଭଡା ଖର୍ଚ୍ଚ ୨୫ହଜାରରୁ ଅଧିକ ହୋଇଛି। ଏଭଳି ସ୍ଥଳରେ ତାଙ୍କୁ ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ସାମାଜିକକର୍ମୀ ଟିକୁ ବନଛୋର ଦାବି କରିଛନ୍ତି।


