ବୈଶିଙ୍ଗା,୯।୧୧(ରତନ ଦାଶ); ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଙ୍ଗାଳିଡାହି ଗ୍ରାମର ମହେନ୍ଦ୍ର ନାଥ ମହାନ୍ତ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଝିଅ ସହିତ ଶୁକ୍ରବାର ଜଗା ଦର୍ଶନ ପାଇଁ ପୁରୀ ଯାଇଥିଲେ। ହେଲେ ତାଙ୍କ ପଡ଼ୋଶୀ ଘର ଲୋକ ତାଙ୍କୁ ଘର ତାଲା ଭଙ୍ଗା ହୋଇଥିବା ଖବର ଦେଇଥିଲେ l ଖବର ପାଇବା ପରେ ଶନିବାର ରାତିରେ ମହେନ୍ଦ୍ର ପୁରୀରୁ ଗାଁରେ ପହଞ୍ଚିଥିଲେ। ସେ ଆସି ଦେଖିଲା ବେଳକୁ ଘର ପଛ ପାଖ ଗ୍ରିଲରେ ଲାଗିଥିବା ତାଲା ଭଙ୍ଗାଯିବା ସହିତ ଭିତର କବାଟ ଭଙ୍ଗା ଯାଇଥିବା ଜାଣିବାକୁ ପାଇଥିଲେ। ପରେ ସେ ଘରେ ପଶି ଦେଖିଲା ବେଳେକୁ ଶୋଇବା ଘରେ ଚୋରମାନେ ପଶି ଆସବାପତ୍ର ଫିଙ୍ଗା ଫୋପଡ଼ା କରିବା ସହିତ ଗଡ଼ରେଜ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାରୂପା ଅଳଙ୍କାର (୨ଟି ସୁନା ଚେନ, ୨ଟି ମଙ୍ଗଳସୂତ୍ର, ୪ଟି ସୁନା ମୁଦି, ସୁନା ପଲା ୧ହଳ ଓ ୨ଟି ସୁନା ଲକେଟ) ସହିତ ନଗଦ ୯ ହଜାର ୩ ଶହ ଟଙ୍କା ଲୁଟି ନେଇଥିବା ଦେଖିବାକୁ ପାଇଥିଲେ।
ଏନେଇ ମହେନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୈଶିଙ୍ଗା ଥାନା ଅଧିକାରୀ ବାବା ଶଙ୍କର ସରାଫ ଏକ ମାମଲା(୬୧୨/୨୬) ରୁଜୁ କରି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ସହାୟତାରେ ଛାନଭିନ ଆରମ୍ଭ କରିଛନ୍ତି l ଅନ୍ୟପକ୍ଷେ ନିକଟରେ ବୈଶିଙ୍ଗା ପୋଲିସ ହାତରେ ୨ଟି ଆନ୍ତଃ ଜିଲା ଚୋର ଗ୍ୟାଙ୍ଗ ଧରା ପଡ଼ିଥିଲେ। ହେଲେ ପୁଣି ଅଞ୍ଚଳରେ ଚୋରି ହେବା ଘଟଣା ପୋଲିସର ଚିନ୍ତା ବଢାଇ ଦେଇଛି ।