ଆର.ଉଦୟଗିରିରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ବାଗତ

ଆର.ଉଦୟଗିରି,୩୦ା୧୨(ଡି.ଏନ.ଏ.): ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଗୁରୁବାର ଗଜପତି ଜିଲା ଆର୍‌.ଉଦୟଗିରିରେ ସ୍ବାଗତ କରିଯାଇଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସହରର ପ୍ରବେଶପଥ ତଥା ପୋଲିସ ଛକଠାରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ଟ୍ରଫିକୁ ସ୍ବାଗତ କରିଥିଲେ।

ବ୍ଲକ କାର୍ଯ୍ୟାଳୟଠାରେ ଟ୍ରଫି ପହଞ୍ଚିବା ପରେ ସେଠାରେ ଏଡିଏମ୍‌ ସଂଗ୍ରାମ ପଣ୍ଡା, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ବିଡିଓ ଲରିମନ ଖର୍ସେଲ, ସ୍ଥାନୀୟ ସରପଞ୍ଚ ରାମେଶ ରାଇକା, ଭାରପ୍ରାପ୍ତ ଜିପିଇଓ ଶଶାଙ୍କ ସେଖର ସୁବୁଦ୍ଧି, ଏପିଓ ଅକ୍ଷର କୁମାର ବିଷୋୟରତ୍ନ, ମୋହନା ବିଡିଓ ତପସ୍ବିନୀ ହାଂସଦା ଓ ରାଇୟଡା ବିଡିଓ ରଞ୍ଜିତ କୁମାର ବଳ ପ୍ରମୁଖ ଟ୍ରଫିକୁ ଫୁଲମାଳ ଦେଇ ସ୍ବାଗତ କରିଥିଲେ। ଏହାପରେ ଟ୍ରଫିକୁ ସହର ପରିକ୍ରମା କରିବା ବେଳେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟଠାରେ ଭବ୍ୟ ସ୍ବାଗତ କରାଯାଇଥିଲା।