Categories: ଖେଳ

ଭାରୋତ୍ତୋଳିକା ସଞ୍ଜିତା ଚାନୁ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୫ା୪(ପି.ଟି.): ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଶୃଙ୍ଖଳା କମିଟି ୪ ବର୍ଷ ବାସନ୍ଦ କରିଛି। ଗତବର୍ଷ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ଏହି ୨୯ ବର୍ଷୀୟା ଆଥଲେଟ୍‌ଙ୍କଠାରୁ ସଂଗ୍ରହ କରାଯାଇଥିବା ନମୁନାରେ ଡ୍ରୋଷ୍ଟନୋଲୋନ ମେଟାବୋଲିଟ୍‌ ନାମକ ଏକ ଆନାବୋଲିକ୍‌ ଷ୍ଟେରଏଡ୍‌ର ମାତ୍ରା ରହିଥିଲା, ଯାହା ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି(ଓ୍ବାଡା) ନିଷିଦ୍ଧ ତାଲିକାରେ ରହିଛି। ଚୈତନ୍ୟ ମହାଜନଙ୍କ ନେତୃତ୍ୱାଧୀନ ୩ଜଣିଆ ଆଣ୍ଟି ଡୋପିଙ୍ଗ ଡିସିପ୍ଲିନାରି ପ୍ୟାନେଲ ନାଡା ଏଡିଆର ୨୦୨୧ର ଧାରା ୧୦.୨.୧ରେ ରହିଥିବା ବ୍ୟବସ୍ଥା ଅନୁସାରେ ଆଥ୍‌ଲେଟଙ୍କୁ ୪ ବର୍ଷ ବାସନ୍ଦ ଦଣ୍ଡରେ ଦଣ୍ଡିତ କରିଛି। ସଞ୍ଜିତାଙ୍କ ବାସନ୍ଦ ଦଣ୍ଡ ପିଛିଲା ୨୦୨୨ ନଭେମ୍ବର ୧୨ରୁ ଲାଗୁ ହେବ, ଯେଉଁଦିନଠାରୁ ତାଙ୍କୁ ସାମୟିକ ସସ୍‌ପେଣ୍ଡ କରାଯାଇଥିଲା। ପଜିଟିଭ ଟେଷ୍ଟ ଫଳାଫଳ ପାଇଁ ସଞ୍ଜିତାଙ୍କଠାରୁ ନ୍ୟାଶନାଲ ଗେମ୍ସ ରୌପ୍ୟ ପଦକ ପ୍ରତ୍ୟାହାର କରିନିଆଯାଇଛି। ପୁନଶ୍ଚ ଏହି ଆଥଲେଟ ୩୦ା୦୯ା୨୦୨୨ ପରେ ଜିତିଥିବା ସମସ୍ତ ପଦକ, ପଏଣ୍ଟ, ପୁରସ୍କାରକୁ ବାଜ୍ୟାପ୍ତି କରାଯାଇଛି। ସଞ୍ଜିତା ଶୃଙ୍ଖଳା କମିଟି ସମ୍ମୁଖରେ ନିଜେ ହାଜର ହୋଇଥିଲେ। ସେ ଏ ପର୍ଯ୍ୟନ୍ତ କୌଣସି ଟିପ୍ପଣୀ ଦେଇନାହାନ୍ତି। ମଣିପୁରର ଏହି ଭାରୋତୋଳିକା ଚାହିଁଲେ ଶୃଙ୍ଖଳା କମିଟି ନିଷ୍ପତ୍ତି ବିରୋଧରେ ଅପିଲ କରିପାରିବେ। ଏଥିଲାଗି ତାଙ୍କୁ ୨୧ ଦିନ ସମୟ ଦିଆଯାଇଛି। ଶୁଣାଣି ସମୟରେ ସଞ୍ଜିତା ଉଦ୍ଦେଶ୍ୟମୂଳକ ଭାବେ କୌଣସି ନିଷିଦ୍ଧ ପଦାର୍ଥ ଗ୍ରହଣ କରି ନ ଥିବା କହିଥିଲେ। ସ୍ବାସ୍ଥ୍ୟର ଯତ୍ନ ନେବାଲାଗି ଯେଉଁ ସବୁ ଖାଦ୍ୟପଦାର୍ଥ ସେ ସେବନ କରିଛନ୍ତି ହୁଏତ ସେଥିରେ ଏହି ନିଷିଦ୍ଧ ଦ୍ରବ୍ୟର ମାତ୍ରା ଥାଇପାରେ। ହେଲେ ଆଥ୍‌ଲେଟ ଜଣକ ନିଷିଦ୍ଧ ଦ୍ରବ୍ୟ ରହିଥିବା କୌଣସି ଖାଦ୍ୟ ଅବା ଔଷଧ ଡାକ୍ତରଙ୍କ ପରାମର୍ଶରେ ସେବନ କରିଥିବା ସମ୍ପର୍କେରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ। ସୂଚନାଯୋଗ୍ୟ, ସଞ୍ଜିତା ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ମୀରାବାଈ ଚାନୁଙ୍କୁ ପଛରେ ପକାଇ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଲାଭ କରିଥିଲେ। ୨୦୧୮ରେ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୫୩କେଜି କାଟେଗୋରିରେ ଚାମ୍ପିୟନ ହୋଇଥିଲେ।

Share