Posted inଫୁରସତ

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ ପାଇ ସବୁ ଦୁଃଖ ଭୁଲିଯିବା। ଯେମିତି ଏହି ଦମ୍ପତିମାନେ ପରସ୍ପରକୁ ପ୍ରେମ କରିଥିଲେ। ଯିଏ ଯେଉଁ ପରିସ୍ଥିତିରେ ଥାଉନା କାହିଁକି ତାକୁ ସେହିଭଳି ନିଜର କରି ଶେଷରେ ଦିନେ ବିବାହ ବନ୍ଧନରେ ବାନ୍ଧିହେଲେ। ଆଉ ତାଙ୍କର ସେହି ବିବାହ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଲା।
ଘରୁ ଲୁଚି ପଳାଇବାର ୬୪ ବର୍ଷ ପରେ
ପୁନର୍ବିବାହ କଲେ ବୃଦ୍ଧ ଦମ୍ପତି: ବାହାଘରକୁ ନେଇ ପ୍ରାୟ ସବୁ ଝିଅପୁଅଙ୍କର ଗୋଟେ ସ୍ବପ୍ନ ଥାଏ। ବନ୍ଧୁ, ପରିଜନଙ୍କ ଭିଡ଼ ଜମିଥିବ। ହସଖୁସିରେ ଘର ଫାଟି ପଡୁଥିବ। ଆଖି ଝଲସିଗଲା ଭଳି ସାଜସଜ୍ଜା ହୋଇଥିବ। ଭୋଜିର ଆସର ଜମୁଥିବ। ସମସ୍ତଙ୍କ ଉପସ୍ଥିତିରେ ବାହାଘର ସମ୍ପନ୍ନ ହେବ, ଗୁରୁଜନମାନେ ଆଶୀର୍ବାଦ କରୁଥିବେ ଇତ୍ୟାଦି ଇତ୍ୟାଦି। ଠିକ୍‌ ଏହିଭଳି କିଛି ସ୍ବପ୍ନ ଦେଖିଥିଲେ ଗୁଜରାଟର ହର୍ଷ ଓ ମୃଦୁ। ୧୯୬୦ ମସିହାରୁ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେତେବେଳେ ସେମାନେ ସ୍କୁଲରେ ପଢୁଥିଲେ। ହର୍ଷ ଥିଲେ ଜୈନ ସମ୍ପ୍ରଦାୟର ଆଉ ମୃଦୁ ଥିଲେ ବ୍ରାହ୍ମଣ ପରିବାରର ଝିଅ। ସେ ସମୟରେ ପ୍ରେମ ସମ୍ପର୍କକୁ ଏ ସମାଜ ସହଜରେ ଗ୍ରହଣ କରୁ ନ ଥିଲା। ହେଲେ ପ୍ରେମ ତ ଏକ ଅମାନିଆ ଚଢେଇ। ଏହା କେତେବେଳେ କାହା ମନରେ ଘର କରିନେବ ଜଣା ପଡିବନି। ଯେମିତି ଜାଣିପାରି ନ ଥିଲେ ହର୍ଷ ଓ ମୃଦୁ। ପରସ୍ପରକୁ ମନ ଦେଇ ଦେଇଥିଲେ। ଲୁଚେଇ ଲୁଚେଇ ପ୍ରେମ ପତ୍ର ଦିଆନିଆ ସେମାନଙ୍କ ଭିତରେ ଚାଲିଥିଲା। ସମୟ ବିତିବା ସହ ସେମାନଙ୍କ ପ୍ରେମ ବି ପରିପକ୍ୱ ହେଉଥିଲା। ଆଖିରେ ସେମାନଙ୍କର ସ୍ବପ୍ନ ଥିଲା, ପଢ଼ା ସାରି ଚାକିରି କରିବେ, ଘରେ ସେମାନଙ୍କ କଥା କହିବେ, ଆଉ ତା’ପରେ ତାଙ୍କର ବାହାଘର ହେବ। କିନ୍ତୁ ସେମାନଙ୍କୁ ଜଣା ନ ଥିଲା ସ୍ବପ୍ନ ଦେଖିବା ଆଉ ତାହା ବାସ୍ତବତାରେ ପରିଣତ ହେବା ଏତେ ସହଜ କଥା ନୁହେଁ। ହଠାତ୍‌ ଦିନେ ମୃଦୁଙ୍କର ପରିବାର ଲୋକେ ହର୍ଷଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା କଥା ଜାଣିଗଲେ। ତା’ପରେ ତାଙ୍କୁ ଖୁବ୍‌ ବିରୋଧ କରାଗଲା। ଘରୁ ବାହାରକୁ ବାହାରିବାକୁ ଦିଆ ଗଲାନି। ପରସ୍ପରକୁ ନଦେଖି ଖୁବ୍‌ ଛଟପଟ ହେଲେ ଉଭୟେ। ଲୁଚେଇ ଲୁଚେଇ ସାଙ୍ଗଙ୍କ ସାହାଯ୍ୟରେ ଥରେ ଦୁଇଥର ଚିଠି ଦିଆନିଆ ହେଲେ। ଆଉ ତା’ରି ଭିତରେ ନିଷ୍ପତ୍ତି ନେଇଗଲେ ଘର ଛାଡ଼ି ଚାଲିଯିବାକୁ। ଗଲାବେଳେ ମୃଦୁ ଘରୁ ଗୋଟିଏ ସାଧାରଣ ଶାଢ଼ି ପିନ୍ଧିକି ଯାଇଥିଲେ, ଯାହାର ମୂଲ୍ୟ ସେ ସମୟରେ ମାତ୍ର ୧୦ ଟଙ୍କା ହେବ। ଘର ଛାଡ଼ି ବହୁ ଦୂରକୁ ଚାଲିଗଲେ ଦୁହେଁ। ଠାକୁରଙ୍କ ସାମ୍ନାରେ ସିନ୍ଦୂର ପିନ୍ଧାଇ ପରସ୍ପରକୁ ନିଜର କରିନେଲେ। ଏହା ଥିଲା ୧୯୬୧ ମସିହାର କଥା। ପାଖରେ ପଇସା ନାହିଁ। ସମାଜରେ ଚଳିବା ପାଇଁ ଉଭୟଙ୍କୁ ବହୁ କଷ୍ଟ ସହିବାକୁ ପଡିଥିଲା। ପରସ୍ପର ପ୍ରତି ଥିବା ଭଲପାଇବା ଓ ସମ୍ମାନ ସେମାନଙ୍କୁ କ୍ରମେ ଦୃଢ଼ କରିଥିଲା। ବଞ୍ଚତ୍ବାର ରାହା ଦେଖାଇଥିଲା। ବେଶ୍‌ କିଛିବର୍ଷର ସଂଘର୍ଷ ପରେ ହର୍ଷ ଓ ମୃଦୁ ନିଜର ଏକ ସୁଖର ସଂସାର ଗଢ଼ିଲେ। ପିଲାଛୁଆ ହେଲେ। ସେମାନେ ବଡ଼ ହେଲେ ଚାକିରିବାକିରି କରି ବିବାହ କଲେ। ହର୍ଷ ଓ ମୃଦୁଙ୍କର ପରିବାର ଆହୁରି ବ୍ୟାପ୍ତ ହେଲା। ପୁଅବୋହୂ, ନାତିନାତୁଣୀଙ୍କ ଗହଣରେ ଖୁବ୍‌ ଖୁସିରେ ସେମାନଙ୍କ ଜୀବନ ଅତିବାହିତ ହେଲା। ହେଲେ ଯେତେବେଳେ ନାତିନାତୁଣୀମାନେ ଜାଣିବାକୁ ପାଇଲେ ଯେ, ସେମାନଙ୍କ ଜେଜେବାପା ଓ ଜେଜେମା’ ଅର୍ଥାତ୍‌ ହର୍ଷ ଓ ମୃଦୁ ତାଙ୍କ ନିଜ ବାହାଘରକୁ ଆଦୌ ଉପଭୋଗ କରିନାହାନ୍ତି ସେମାନେ ଏକ ସରପ୍ରାଇଜ୍‌ ଓ୍ବେଡିଂ ପ୍ଲାନିଂ କଲେ। ମୃଦୁଙ୍କୁ ସୁନ୍ଦର କନିଆ ବେଶରେ ଆଉ ହର୍ଷଙ୍କୁ ବର ବେଶରେ ସଜାଇ ସେମାନଙ୍କର ପୁଣିଥରେ ବିବାହ ସମ୍ପନ୍ନ କଲେ। ଘରୁ ଲୁଚି ପଳେଇ ଆସିବାର ୬୪ ବର୍ଷ ପରେ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବେଶ୍‌ ଜାକଜମକରେ ପୁଣିଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବାରୁ ଉଭୟ ହର୍ଷ ଓ ମୃଦୁ ବେଶ୍‌ ଖୁସି ହେବା ସହ ଖୁବ୍‌ ସୁନ୍ଦର ସୁନ୍ଦର ଫଟୋ ପୋଜ୍‌ ବି ଦେଇଥିଲେ; ଯାହା ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ମଧ୍ୟ ହୋଇଥିଲା।
କେଶବିହୀନ ବଧୂବେଶରେ ସ୍ତ୍ରୀକୁ ଦେଖି
ବେଶ୍‌ ଖୁସି ହୋଇଥିଲେ ସ୍ବାମୀ: ବାହାଘର ଦିନ ନବବଧୂଟିଏର ସୌନ୍ଦର୍ଯ୍ୟ ଖୁବ୍‌ ଆକର୍ଷକ ଲାଗେ। ତା’ର ସିନ୍ଦୂର ଲଗା ମଥାଠୁ ନେଇ ଅଳତା ଲଗା ପାଦ ଏପରି କି ମେହେନ୍ଦୀ ହୋଇଥିବା ହାତ, ସବୁ କିଛି ମନ ମୋହିନିଏ। ଆଉ ସବୁଠୁ ଯାହା ସୁନ୍ଦର ଲାଗେ ତାହା ହେଉଛି କଳା ମଚମଚ ଲମ୍ବା କେଶରେ ସୁନ୍ଦର ଖୋସା କରି ନାଲି ଓଢ଼ଣୀ ପକାଇଥିବାର ଦୃଶ୍ୟ। ହେଲେ ଏଠାରେ ଯେଉଁ ନବବଧୂଙ୍କ କଥା କୁହାଯାଉଛି, ତାଙ୍କଠାରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।  ସେ ନିଜ ବାହାଘର ଦିନ ଆପାଦମସ୍ତକ ଖୁବ୍‌ ସୁନ୍ଦର ଭାବେ ସଜବାଜ ହୋଇଥିଲେ। ନାଲି ରଙ୍ଗର ବ୍ରାଇଡାଲ୍‌ ଲେହେଙ୍ଗା ବି ତାଙ୍କୁ ଖୁବ୍‌ ମାନୁଥିଲା। ହେଲେ ଗୋଟିଏ କଥା ଯାହା ଊଣା ରହିଯାଇଥିଲା ତାହା ହେଉଛି ଉକ୍ତ ନବବଧୂଙ୍କର ମୁଣ୍ଡରେ ଗୋଟିଏ ହେଲେ ବି କେଶ ନ ଥିଲା। କେଶବିହୀନ ବଧୂ ବେଶରେ ବି ସେଦିନ ନବବଧୂ ଜଣଙ୍କ ଖୁବ୍‌ ଦୃଢମନା ଓ ମାର୍ଜିତ ଲାଗୁଥିଲେ। ତାଙ୍କ ଓଠର ହସ ତାଙ୍କ ରୂପକୁ ଆହୁରି ଆକର୍ଷଣୀୟ କରି ଦେଉଥିଲା। ତାଙ୍କର ଏଭଳି ସୌନ୍ଦର୍ଯ୍ୟକୁ ଦେଖି ସେଦିନ ଯିଏ ସବୁଠୁ ବେଶି ଖୁସି ଜଣାଯାଉଥିଲେ ସେ ହେଲେ ତାଙ୍କ ପ୍ରେମିକ ତଥା ଭାବୀ ସ୍ବାମୀ। ପ୍ରକୃତପକ୍ଷେ ତାଙ୍କ ନାମ ହେଉଛି ଅରୁଣ ଭି ଗଣପଥୀ। ଆଉ ସେହି କେଶବିହୀନ ନବବଧୂ ଜଣଙ୍କ ହେଲେ ନୀହାର ସଚଦେଭା, ଯିଏକି ପେସାରେ ଜଣେ କଣ୍ଟେଣ୍ଟ କ୍ରିଏଟର୍‌। ଏବେ ସେ ୟୁଏସ୍‌ରେ ରହୁଛନ୍ତି। କିନ୍ତୁ ପ୍ରକୃତପକ୍ଷେ ତାଙ୍କ ଘର ହେଉଛି ଭାରତରେ। ପିଲାଦିନେ ନୀହାରଙ୍କର ଖୁବ୍‌ ସୁନ୍ଦର କେଶ ଥିଲା। କିନ୍ତୁ କ୍ରମେ ସେ ଏଲୋପେସିୟା ନାମକ ଏକ କେଶ ଝଡିବାଜନିତ ରୋଗର ଶିକାର ହେଲେ। ମନକୁ ମନ ତାଙ୍କ ମୁଣ୍ଡର କେଶସବୁ ଉପୁଡିବାକୁ ଲାଗିଲା। ସ୍କୁଲରେ କି ବାହାରେ ତାଙ୍କୁ କିଏ ଚିଡ଼େଇବ ବୋଲି ପରିବାର ଲୋକେ ବାଧ୍ୟ କରି ନୀହାରଙ୍କୁ ଓ୍ବିଗ୍‌ ଲଗାଇ ପଠାଉଥିଲେ। କିନ୍ତୁ ଏହି ଓ୍ବିଗ୍‌ ହିଁ ନୀହାରଙ୍କ ପାଇଁ ବେଶି ଚିନ୍ତାର କାରଣ ସାଜିଲା। କାରଣ ତାଙ୍କ ଭିତରେ ଗୋଟେ ଡର ସବୁବେଳେ ରହୁଥିଲା ଯେ, ଯଦି ଓ୍ବିଗ୍‌ କେଉଁଠି ଅଜାଣତରେ ଟାଣି ହୋଇଯାଏ କିମ୍ବା ଖସିଯାଏ ତା’ହେଲେ ତାଙ୍କ ଅବସ୍ଥା କ’ଣ ହେବ। ସମସ୍ତେ ତାଙ୍କୁ ଦେଖି ହସିବେ। ସେଥିପାଇଁ ସେ କୌଣସି କାମରେ ବି ଶତ ପ୍ରତିଶତ ମନନିବେଶ କରିପାରୁ ନ ଥିଲେ। ନା ପାଠରେ ନା ଖେଳରେ ନା ମଜାମସ୍ତିରେ। ସବୁବେଳେ ତାଙ୍କ ମନ ସେହି ଓ୍ବିଗ୍‌ ପାଖରେ ହିଁ  ରହୁଥିଲା। ସେଥିପାଇଁ ସେ ସ୍କୁଲ୍‌ ପଢା ସରିବା ପରେ ଆଉ ଓ୍ବିଗ୍‌ ନ ଲଗାଇ ସମ୍ପୂର୍ଣ୍ଣ ଲଣ୍ଡା ହୋଇଯିବା ପାଇଁ ଚିନ୍ତା କଲେ। ଏଥିପାଇଁ ତାଙ୍କୁ ପ୍ରଥମେ ପ୍ରଥମେ ଲୋକମାନଙ୍କର ଟାହିଟାପରା ଶୁଣିବାକୁ ପଡୁଥିଲା। ତା’ପରେ ସବୁ କିଛି ଦେହସୁହା ହୋଇଗଲା। ନୀହାର ନିଜକୁ ଦୃଢ଼ କଲେ ଆଉ ଆତ୍ମବିଶ୍ୱାସର ସହ ନିଜ କ୍ୟାରିୟର ଉପରେ ଗୁରୁତ୍ୱ ଦେଲେ। ଆଉ ତା’ରି ଭିତରେ ଅରୁଣ ଭି ଗଣପଥୀ ନୀହାରଙ୍କ ଜୀବନରେ ଆସିଲେ। ନୀହାର ଯେମିତି ଥିଲେ ଯେପରି ଦେଖାଯାଉଥିଲେ ଅରୁଣ ତାଙ୍କୁ ସେହି ରୂପରେ ହିଁ ନିଜର କରି ନେଲେ। କିଛିଦିନର ପ୍ରେମ ସମ୍ପର୍କ ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଏକ ଗ୍ରାଣ୍ଡ ଓ୍ବେଡିଂ ପାର୍ଟିର ସେମାନେ ଯୋଜନା କଲେ। ବିବାହ ପାଇଁ ନୀହାର ସଜ ହେଉଥିବାବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ଓ୍ବିଗ୍‌ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ହେଲେ ସେ ଓ୍ବିଗ୍‌ ପିନ୍ଧିବାକୁ ମନା କରି କହିଥିଲେ, ‘ମୁଁ ଯେମିତି ଅଛି ସେମିତି ରହିବାକୁ ଚାହେଁ। ଓ୍ବିଗ୍‌ ପିନ୍ଧି ପୁଣିଥରେ ମୋ ଆତ୍ମବଳକୁ କମାଇବାକୁ ଚାହେଁନା।’ ସତକୁ ସତ ବିନା ଓ୍ବିଗ୍‌ରେ ସେଦିନ ନୀହାର ଯେତେବେଳେ ବିବାହ ମଣ୍ଡପକୁ ଆସିଥିଲେ, ତାଙ୍କ ମୁହଁରେ ଆତ୍ମବିଶ୍ୱାସ ସ୍ପଷ୍ଟ ବାରି ହୋଇ ପଡୁଥିଲା, ଯାହା ତାଙ୍କୁ ଆହୁରି ଆକର୍ଷଣୀୟ କରି ଦେଉଥିଲା। ଦୂରରେ ଥାଇ ଅରୁଣ ତାଙ୍କ ଭାବୀ ପତ୍ନୀ ନୀହାରଙ୍କର ଏହି ଅପୂର୍ବ ସୌନ୍ଦର୍ଯ୍ୟକୁ ନିରିଖେଇ ଚାଲିଥିଲେ। ଆଉ ବିବାହ ପାଇଁ ଉଭୟ ଉଭୟଙ୍କର ନିକଟତର ଯେତିକି ହେଉଥିଲେ ସେମାନଙ୍କ ମନରେ ପରସ୍ପର ପ୍ରତି ଭଲପାଇବା ସେତିକି ବଢି ଚାଲିଥିଲା। ସତରେ ଜଣେ ସ୍ତ୍ରୀର ପ୍ରକୃତ ସୌନ୍ଦର୍ଯ୍ୟ ତା’ ସ୍ବାମୀ ଆଖିରେ ହିଁ ଶୋଭା ପାଇଥାଏ, ଯାହା ସେଦିନ ନୀହାର ଅନୁଭବ କରିଥିଲେ। ସେଥିପାଇଁ କେଶ ନ ଥାଇ ବି ନୀହାର ସେଦିନ ବଧୂବେଶରେ ଖୁବ୍‌ ସୁନ୍ଦର ଦେଖାଯିବା ସହ ବାହାଘରର ପ୍ରତିଟି ବିଧିକୁ ଖୁବ୍‌ ମନଭରି ଉପଭୋଗ କରୁଥିଲେ। ଆଉ ଭାବୀ ସ୍ବାମୀ ଅରୁଣଙ୍କ ସହ ଖୁବ୍‌ ସୁନ୍ଦର ସୁନ୍ଦର ଫଟୋ ପୋଜ୍‌ ବି ଦେଉଥିଲେ। ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଏହି ବାହାଘର ଫଟୋଗୁଡ଼ିକ ଅପ୍‌ଲୋଡ୍‌ ହେବା ପରେ ତାହା ଖୁବ୍‌ ଭାଇରାଲ ମଧ୍ୟ ହୋଇଥିଲା।
ବାହାଘର ଦିନ ୧୧ ଜଣ ଗରିବ ଶିଶୁଙ୍କ ଶିକ୍ଷାର
ଦାୟିତ୍ୱ ନେଇ ଉଦାହରଣ ସୃଷ୍ଟି କଲେ ଦମ୍ପତି: ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେମାନଙ୍କ ବାହାଘର ଦିନ ସବୁଠୁ ସ୍ପେଶାଲ ହୋଇଥାଏ। ଜୀବନସାଥୀକୁ ନେଇ ସୁନେଲୀ ଭବିଷ୍ୟତ ଗଢିବାର କେତେ କ’ଣ ଯୋଜନା ଚାଲିଥାଏ ସେମାନଙ୍କ ମନରେ। କିଏ ବାହାଘର ପରେ ହନିମୁନ୍‌ ଟ୍ରିପ୍‌ରେ କୁଆଡ଼େ ବୁଲିଯିବା ପାଇଁ ପ୍ଲାନିଂ କରୁଥାନ୍ତି ତ କିଏ ନିଜ ଜୀବନସାଥୀକୁ କ’ଣ ସରପ୍ରାଇଜ୍‌ ଗିଫ୍ଟ ଦେଲେ ଭଲ ହେବ ସେ ନେଇ ଚିନ୍ତାରେ ଥାନ୍ତି। ଆଉ କେହି କେହି ତ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ବାହାଘର ପରେ କେତେ ସେଭିଙ୍ଗ୍ସ କରିବେ, କେଉଁ ଇନ୍‌ସ୍ୟୁରାନ୍ସର ସାହାଯ୍ୟ ନେବେ ସେ ନେଇ ଯୋଜନା କରୁଥାନ୍ତି। କିନ୍ତୁ ଏଠାରେ ଯେଉଁ ଦମ୍ପତିଙ୍କ କଥା କୁହାଯାଉଛି, ସେମାନେ ନିଜ ବାହାଘରକୁ ନେଇ ଏମିତି କିଛି ବି ସ୍ବପ୍ନ ଦେଖି ନ ଥିଲେ। ବରଂ କେତେଜଣ ଗରିବ ଶିଶୁଙ୍କର ସୁନେଲି ଭବିଷ୍ୟତ ଗଢିବାର ନୂଆ ଏକ ସଂକଳ୍ପ ନେଇଥିଲେ। ଯେଉଁଥିପାଇଁ ନିଜ ବାହାଘର ଦିନ ବିବାହ ସମ୍ପନ୍ନ ହେବା ପରେ ସେମାନେ ୧୧ ଜଣ ଗରିବ ଶିଶୁଙ୍କୁ ସେହି ବିବାହ ମଣ୍ଡପରେ ବିଧିବଦ୍ଧ ଭାବେ ଆପଣେଇ ସେମାନଙ୍କ ଶିକ୍ଷାର ଦାୟିତ୍ୱ ବହନ କରିଥିଲେ । ଏହି ଦମ୍ପତି ଦୁଇଜଣ ହେଲେ କାନପୁର ଦେହାତରେ ରହୁଥିବା ଦୀକ୍ଷା ଯାଦବ ଓ ତାଙ୍କ ସ୍ବାମୀ। ଦୀକ୍ଷା ଜଣେ ସାମାଜିକ କର୍ମୀ। ବାହାଘର ପୂର୍ବରୁ ହିଁ ସେ ଜନକଲ୍ୟାଣ କାମ କରି ଆସୁଛନ୍ତି। ସେ ଯେଉଁ ଅନୁଷ୍ଠାନ ପାଇଁ କାମ କରିଥାନ୍ତି, ତାହା ଗରିବ, ଅସହାୟ ଲୋକଙ୍କର ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, କୃଷକଙ୍କର ଉତ୍ଥାନ ଉପରେ ଗୁରୁତ୍ୱ ଦେବା ସହ ପର୍ଯ୍ୟାବରଣ ଉପରେ ବି ଅନେକ କାମ କରିଥାଏ। ସେଥିପାଇଁ ପରୋପକାରକୁ ଦୀକ୍ଷା ନିଜ ଜୀବନର ଏକ ବ୍ରତ କରିଦେଇଥିଲେ। ଆଉ ତା’ରି ଭିତରେ ଯେତେବେଳେ ତାଙ୍କର ବାହାଘର ଠିକ୍‌ ହୋଇଗଲା, ସେ ଏମିତି କିଛି ଗୋଟେ ନୂଆ ଦାୟିତ୍ୱ ହାତକୁ ନେବାକୁ ଚାହୁଁଥିଲେ, ଯାହା ଏ ସମାଜ ପାଇଁ ଏକ ଉଦାହରଣ ହେବା ସହ ତାଙ୍କ ଭାବୀ ସ୍ବାମୀଙ୍କୁ ମଧ୍ୟ ପରୋପକାର କ୍ଷେତ୍ରରେ ସାମିଲ ହେବାର ସୁଯୋଗ ମିଳିପାରିବ। ଏ ନେଇ ଦୀକ୍ଷା ନିଜ ଭାବୀ ସ୍ବାମୀ ଓ ଶାଶୁଘର ଲୋକଙ୍କ ସାଙ୍ଗରେ ସାମ୍ନାସାମ୍ନି କଥା ବି ହୋଇଥିଲେ। ସେମାନେ ମଧ୍ୟ ଦୀକ୍ଷାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ଯଦ୍ଦ୍ବାରା ଦୀକ୍ଷା ୧୧ଜଣ ଏମିତି ଗରିବ ଶିଶୁଙ୍କୁ ଠିକ୍‌ କରିଥିଲେ, ଯେଉଁମାନଙ୍କର ପାଠ ପଢିବାକୁ ଇଚ୍ଛା ଥିଲେ ବି ଆର୍ଥିକ ଦୁରବସ୍ଥା ହେତୁ ପଢିବାର ସୁଯୋଗ ପାଉ ନ ଥିଲେ। ଛୋଟମୋଟ ସୁବିଧାରୁ ବଞ୍ଚତ୍ତ ରହି ନିଜକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରୁ ନ ଥିଲେ। ଆଉ ଯେଉଁଦିନ ଦୀକ୍ଷାଙ୍କର ବାହାଘର ଥିଲା, ସେଦିନ ସେହି ୧୧ ଜଣ ଶିଶୁଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା। ବାହାଘର ସମ୍ପନ୍ନ ହେବା ପରେ ଅତିଥିମାନଙ୍କ ସାମ୍ନାରେ ଦୀକ୍ଷା ଓ ତାଙ୍କ ସ୍ବାମୀ ଷ୍ଟେଜ୍‌ ଉପରକୁ ସେହି ପିଲାମାନଙ୍କୁ ଡାକି ସେମାନଙ୍କର ପରିିଚୟ ଦେବା ସହ ବିଧିବଦ୍ଧ ଭାବେ ସେମାନଙ୍କୁ ଆପଣେଇ ସେମାନଙ୍କର ଶିକ୍ଷାଦୀକ୍ଷାର ସମସ୍ତ ଦାୟିତ୍ୱ ନେବା କଥା ସମସ୍ତଙ୍କୁ ଜଣାଇଥିଲେ। ପରେ ସେହି ପିଲାମାନଙ୍କ ସହ ନବଦମ୍ପତି ଅନେକ ଫଟୋ ଉଠାଇ ଖୁବ୍‌ ମଜାମସ୍ତି ବି କରିଥିଲେ। ସେଦିନର ଏହି ଘଟଣା ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କର ମନକୁ ଖୁବ୍‌ ଛୁଇଁ ଯାଇଥିଲା। ସମସ୍ତେ ଦୀକ୍ଷା ଓ ତାଙ୍କ ସ୍ବାମୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପରେ ପରେ  ଏହି ଘଟଣାଟି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।
ଟ୍ରେନ୍‌ରେ ଭିକ ମାଗୁଥିବା ଯୁବତୀଙ୍କୁ ଉଦ୍ଧାର କରି
ବିବାହ କଲେ ଯୁବକ: ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଅସହାୟ, ଗରିବ ପିଲାମାନଙ୍କୁ ଟ୍ରେନ୍‌ ଭିତରେ ହେଉ କି ପ୍ଲାଟ୍‌ଫର୍ମରେ ହାତପାତି ଭିକ ମାଗୁଥିବାର ଦୃଶ୍ୟ ଆମ ଭିତରୁ ଅନେକେ ଦେଖିଥିବେ। କେହି କେହି ଟଙ୍କା, ପଇସା ଦେଉଥିବାବେଳେ କେହି କେହି ସେମାନଙ୍କୁ ଖାଇବା ପୁଡ଼ିଆ ହେଉ କି ବିସ୍କୁଟ୍‌ ଚକୋଲେଟ୍‌ ଦେଇଥାନ୍ତି। କିନ୍ତୁ ବିହାରର ଗୋଲୁ ନାମକ ଜଣେ ଯୁବକ ଏଇ କିଛିଦିନ ତଳେ ଟ୍ରେନ୍‌ରେ ଯାଉଥିବା ସମୟରେ ଟ୍ରେନ୍‌ ଭିତରେ ଜଣେ ଯୁବତୀଙ୍କୁ ଭିକ ମାଗୁଥିବାର ଦେଖିଥିଲେ। ସେ ନିଜ ସାଧ୍ୟମତେ ଯୁବତୀଙ୍କୁ କିଛି ଆର୍ଥିକ ସାହାଯ୍ୟ ବି କରିଥିଲେ। ହେଲେ କିଛି ସମୟ ପରେ ଦେଖିଲେ ଟ୍ରେନ୍‌ରେ ଯାତ୍ରା କରୁଥିବା କିଛି ଖରାପ ଯୁବକ ସେହି ଯୁବତୀଟିକୁ ଭାରି ହଇରାଣ କରୁଛନ୍ତି। ତାଙ୍କୁ ଖରାପ  କଥା ବି କହୁଛନ୍ତି। ଯୁବତୀ ଜଣଙ୍କ ଅସହାୟ ହୋଇ ଖାଲି କାନ୍ଦୁଥିଲେ। ଗୋଲୁଙ୍କୁ ଏସବୁ ଆଦୌ ଭଲ ଲାଗିଲାନି। ସେ ସାଙ୍ଗେ ସାଙ୍ଗେ ସେଠାକୁ ଯାଇ ସେମାନଙ୍କୁ ବିରୋଧ କଲେ। ଯଦ୍ଦ୍ବାରା ସେମାନଙ୍କ ଭିତରେ ଝଗଡ଼ା ହେଲା। ହାତ ଉଠାଉଠି ପର୍ଯ୍ୟନ୍ତ କଥା ଗଲା। ଏସବୁ ଦେଖି ଉକ୍ତ ଯୁବତୀ ଜଣଙ୍କ ଗୋଲୁଙ୍କ ହାତକୁ ଟାଣି ଟାଣି ସେଠାରୁ କିଛି ଦୂର ନେଇ କହିଲେ, ”ଏ କଥା ମୋ ପାଇଁ ନୂଆ ନୁହେଁ। ଏମିତି ଘଟଣା ମୋ ସହିତ ପ୍ରାୟ ହୁଏ। ମୋର ଏ ଦୁନିଆରେ କେହି ନାହାନ୍ତି। ଭିକ ମାଗି ନିଜ ପେଟ ପୋଷୁଛି। ଲୋକଙ୍କର ଖରାପ କଥାକୁ ଶୁଣି ମୁଁ ସବୁଦିନ କାହା ସହିତ ଝଗଡ଼ା କରିପାରିବିନି । ତେଣୁ ମୋତେ ମୋ ଅବସ୍ଥାରେ ଛାଡ଼ିଦିଅ। ତୁମେ କାହିଁକି ମୋ ପାଇଁ ଅଯଥାରେ ଝଗଡ଼ା କରି ଶତ୍ରୁ କିଣୁଛ।“ ଯୁବତୀଙ୍କର ଏଭଳି ସ୍ପଷ୍ଟ ଆଉ ହୃଦୟଖୋଲା କଥା ଗୋଲୁଙ୍କ ମନଙ୍କୁ ସେଦିନ ବେଶ୍‌ ଛୁଇଁଗଲା। ସେହି କ୍ଷଣି ହିଁ ଗୋଲୁ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ମନେମନେ ସ୍ଥିର କଲେ। ଘରକୁ ଫୋନ୍‌ କରି ସମସ୍ତ ଘଟଣା ସମ୍ପର୍କରେ ଆଉ ନିଜ ନିଷ୍ପତ୍ତି ବିଷୟରେ ମା’ବାପାଙ୍କୁ ଜଣାଇବାରୁ ସେମାନେ ବି ପୁଅ କଥାରେ ରାଜି ହୋଇଗଲେ। ବାସ୍‌ ତା’ପରେ ଗୋଲୁ ଉକ୍ତ ଯୁବତୀଙ୍କୁ ସାଥୀରେ ନେଇ ନିଜ ଘରକୁ ଗଲେ। ଆଉ ସେଠାରେ ସେମାନଙ୍କ ବାହାଘରର ଆୟୋଜନ ହେଲା। ବନ୍ଧୁ, ପରିଜନ ତଥା ଆମନ୍ତ୍ରିତ ଅତିଥିମାନେ ଗୋଲୁ ଓ ତାଙ୍କ ପରିବାରର ଏଭଳି ମହତ୍‌ ନିଷ୍ପତ୍ତିକୁ ଭୂୟସୀ ପ୍ରଶଂସା କରିବା ସହ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ଏହି ଘଟଣାଟି  ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ବି ହୋଇଥିଲା।
ସତରେ ଏମାନଙ୍କ ଭଲପାଇବା ଆଉ ବାହାଘର କଥା ଶୁଣିଲେ ବେଶ୍‌ ଆଶ୍ଚର୍ଯ୍ୟ ଲାଗେ। ଏହାକୁ ହିଁ ତ କୁହାଯାଏ ସଚ୍ଚା ପ୍ରେମ, ଯେଉଁଥିରେ ନା କିଛି ଆବିଳତା ଥାଏ ନା କିଛି ଅବସୋସ। କେବଳ ସାଥୀ ପାଇଁ ମନରେ ଭରି ରହିଥାଏ ପ୍ରେମ ଆଉ ସମ୍ମାନବୋଧ।

Enter your email to get our daily news in your inbox.

All Right Reserved By Dharitri.Com

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri