ଆଇସିୟୁରେ ଝିଅର ବାହାଘର ପରେ ମା’ଙ୍କ ମୃତ୍ୟୁ

ଗୟା,୨୬।୧୨: ଅନେକ ଥର ଫିଲ୍ମରେ ହସ୍ପିଟାଲରେ ବାହାଘର ହେଉଥିବା ସମସ୍ତେ ଦେଖିଥିବେ। କିନ୍ତୁ ସତରେ ହସ୍ପିଟାଲରେ ବାହାଘର ହେବା କଥା କେହି ଦେଖିଛନ୍ତି କି ଶୁଣିଛନ୍ତି। କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କାରଣ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ଗୟାରେ। ଯେଉଁଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତିଥିବା ଜଣେ ମହିଳା ନିଜ ଝିଅଙ୍କ ବିବାହ କରାଇଛନ୍ତି। ଏହାର କିଛି ଘଣ୍ଟା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପରିବାରବର୍ଗ, ସମ୍ପର୍କୀୟ ଏବଂ ହସ୍ପିଟାଲର କର୍ମଚାରୀଙ୍କ ଆଖିରେ ଲୁହ ଭରିଦେଇଛି। ସୂଚନାଯୋଗ୍ୟ, ଗୟା ଜିଲାର ଗୁରାରୁ ପ୍ରଖଣ୍ଡର ବାଲି ଗ୍ରାମରେ ରହୁଥିବା ଲଲନ କୁମାରଙ୍କ ସ୍ତ୍ରୀ ପୁନମ ବର୍ମା ହୃଦ୍‌ଘାତ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ମାଜିଷ୍ଟ୍ରେଟ କଲୋନୀ ସ୍ଥିତ ଏକ ଘରୋଇ ଅର୍ଶ ହସ୍ପିଟାଲର ଆଇସିୟୁ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ଦିନରୁ ରୋଗାଗ୍ରସ୍ତ ଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ଯେକୌଣସି ସମୟରେ ପୁନମଙ୍କର ମୃତ୍ୟୁ ହୋଇପାରେ ବୋଲି ଡାକ୍ତର କହିଥିଲେ। ତେବେ ସବୁ ମା’ଙ୍କ ଭଳି ପୁନମଙ୍କ ମଧ୍ୟ ଆଶା ଥିଲା ଯେ, ସେ ଜୀବିତ ଅବସ୍ଥାରେ ତାଙ୍କ ଝିଅ ଚାନ୍ଦିନୀଙ୍କ ବିବାହ ଦେଖିବେ। ପୂର୍ବରୁ ସୋମବାର (ଡିସେମ୍ବର ୨୬) ଚାନ୍ଦିନୀଙ୍କର ଗୁରୁଆ ପ୍ରଖଣ୍ଡର ସଲେମପୁର ଗ୍ରାମର ସୁମିତ ଗୌରବଙ୍କ ସହ ନିର୍ବନ୍ଧ ନିର୍ଦ୍ଧାରିତ ହୋଇଥିଲା। ହେଲେ ନିର୍ଦ୍ଧାରିତ ହୋଇଥିବା ନିର୍ବନ୍ଧ ତାରିଖର ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲର ଆଇସିୟୁ ରୁମ୍‌ ବାହାରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହର ମାତ୍ର ୨ଘଣ୍ଟା ପରେ ମା’ ପୁନମଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share