ଖଣ୍ଡାରେ ହାଣି ଓ୍ବେବ୍‌ ଖବରଦାତା ଗିରଫ

ମଙ୍ଗୁଳି-ଜଗତପୁର,୨୦।୬(ମାନସ ସାମଲ): ଜଣେ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ଖଣ୍ଡାରେ ଆକ୍ରମଣ କରିବା ଅଭିଯୋଗରେ ୱେବ୍‌ ଚ୍ୟାନେଲର ଜଣେ ଖବରଦାତାଙ୍କୁ ଜଗତପୁର ଥାନା ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେ ହେଲେ ଉକ୍ତ ଥାନା ଅଧୀନ ଶଙ୍ଖମୁହାଣ ଗ୍ରାମର ଯଶୋବନ୍ତ ପ୍ରଧାନ ଓରଫ ମାନୁଆ। ଏ ନେଇ ପୋଲିସ (ନଂ.୨୯୦/୨୩)ରେ ଏକ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ, ଉକ୍ତ ଥାନା ଅଧୀନ ଶଙ୍ଖମୁହାଣ ଗ୍ରାମର ଅର୍ଜୁନ ପ୍ରଧାନ ଶୁକ୍ରବାର ସା ୫ଟାରେ କାମରୁ ଫେରି ଘର ନିକଟ ଏକ ନଦୀକୂଳରେ ବିଶ୍ରାମ ନେଉଥିଲେ। ସେଇ ସମୟରେ ଯଶୋବନ୍ତ ହାତରେ ଏକ ଖଣ୍ଡା ଧରି ସେଠାରେ ପହଞ୍ଚତ୍ କୌଣସି କଥାକୁ ନେଇ ଯୁକ୍ତି କରିଥିଲେ। ଅର୍ଜୁନ ଏହାକୁ ବିରୋଧ କରିବାରୁ ଯଶୋବନ୍ତ ଖଣ୍ଡାରେ ତାଙ୍କ ଗୋଡ଼ ଏବଂ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଅର୍ଜୁନ ପାଟି କରିବାରୁ ତାଙ୍କ ପରିବାର ଲୋକ ଆସିଥିଲେ। ଯଶୋବନ୍ତ ନିଜକୁ ଖବରଦାତା ପରିଚୟ ଦେବା ସହ ଥାନାରେ ଏତଲା କଲେ ସମସ୍ତଙ୍କୁ ପେଟ୍ରୋଲ ପକାଇ ମାରିଦେବି ବୋଲି ଧମକାଇ ଚାଲିଯାଇଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ଅର୍ଜୁନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା। ଏ ନେଇ ଅର୍ଜୁନ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ମାମଲା ରୁଜୁ କରି ରବିବାର ଯଶୋବନ୍ତଙ୍କୁ ଘରୁ ଗିରଫ କରିବା ସହ ଏକ ଖଣ୍ଡା ଜବତ କରିଛି।