ଓ୍ବେବ୍‌ ପୋର୍ଟାଲ ଖବରଦାତା ଗିରଫ

ବାଣପୁର,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଣପୁର ବିିଜ୍ଞପିତ ଅଞ୍ଚଳ ପରିଷଦର ୯ନଂ. ଓ୍ବାର୍ଡ ମୁସଲିମ ସାହି କୋଭିଡ୍‌ ଟିକା କେନ୍ଦ୍ରରେ ଗଣ୍ଡଗୋଳ ସହ ଟିକା ପାଇଁ ଟଙ୍କା ମାଗିବା ଏବଂ ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ବାଣପୁର ପୋଲିସ ସୋମବାର ଜଣେ ଓ୍ବେବ ପୋର୍ଟାଲ ଖବରଦାତାଙ୍କୁ ଗିରଫ କରିଛି। ସେ ହେଲେ ସେକ୍‌ ରୋଶନ। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ରୋଶନଙ୍କ ସହଯୋଗୀ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୋଗ ମୁତାବକ, ଗତ ୨୨ତାରିଖରେ ବାଣପୁର ବିଜ୍ଞାପିତ ପରିଷଦର ୯ନଂ. ଓ୍ବାର୍ଡରେ ପ୍ରଶାସନ ପକ୍ଷରୁ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ଅଭିଯୁକ୍ତ ରୋଶନ ଏବଂ ତାଙ୍କର ଜଣେ ସହଯୋଗୀ ପହଞ୍ଚତ୍ ନିଜକୁ ଏକ ଓ୍ବେବ୍‌ ପୋର୍ଟାଲର ପ୍ରତିନିଧିଭାବେ ପରିଚୟ ଦେଇ ଟିକାକେନ୍ଦ୍ରରେ ଗଣ୍ଡଗୋଳ କରିବା ସହ ହିତାଧିକାରୀଙ୍କ ପିଛା ୫୦ଟଙ୍କା ଲେଖାଏ ଦାବି କରିଥିଲେ। କେତେଜଣ ମହିଳା ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତଦ୍ୱୟ ସେମାନଙ୍କୁ ଅସଦାଚରଣ କରିଥିବା ଗ୍ରାମବାସୀ ଓ ମହିଳାମାନେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ପୁଣି ୨୩ତାରିଖ ରାତିରେ ଅଭିଯୁକ୍ତମାନେ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ଶୁକ୍ରବାର ଶତାଧିକ ଗ୍ରାମବାସୀ ବାଣପୁର ଥାନାରେ ଧାରଣା ଦେଇଥିଲେ। ସୋମବାର ବାଣପୁର ପୋଲି ରୋଶନଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସହଯୋଗୀ ଫେରାର ଥିବା ଜଣାପଡ଼ିଛି। ତେବେ ରୋଶନଙ୍କ ନଁାରେ ପୂର୍ବରୁ ବାଣପୁର ଥାନାରେ ୨ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।