ୱେବ୍‌ ଚ୍ୟାନେଲ ସିଲ୍‌, ଏମ୍‌ଡିଙ୍କ ସମେତ ଦୁଇ ଗିରଫ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଜଣେ ମହିଳାଙ୍କୁ ଧମକ ଦେବା ସହ ଟଙ୍କା ମାଗିବା ଅଭିଯୋଗରେ ଏକ ୱେବ୍‌ ଚ୍ୟାନେଲର ଦୁଇ କର୍ମଚାରୀଙ୍କୁ ମଞ୍ଚେଶ୍ୱର ପୋଲିସ ଗିରଫ କରିଛି। ସେମାନେ ହେଲେ ୱେବ୍‌ ଚ୍ୟାନେଲ ‘ପରିବର୍ତ୍ତନ’ର ଏମ୍‌ଡି ଜଗତ୍‌ସିଂପୁର ଜିଲା ରଘୁନାଥପୁର ଥାନାର ପ୍ରଶାନ୍ତ କୁମାର ରାଉତ(୪୦) ଓ କ୍ୟାମେରାମ୍ୟାନ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନାର ଚନ୍ଦ୍ରକାନ୍ତ ଦଳାଇ(୨୬)। ଏଥିସହ ସ୍ଥାନୀୟ ଚକେଇସିଆଣିରେ ଥିବା ଉକ୍ତ ୱେବ୍‌ ଚ୍ୟାନେଲ କାର୍ଯ୍ୟାଳୟକୁ ପୋଲିସ ସିଲ୍‌ କରିବା ସହ ସେଠାରୁ ଆଇ କାର୍ଡ, କ୍ୟାମେରା ଓ କମ୍ପ୍ୟୁଟର ଆଦି ଜବତ କରିଛି। ପୋଲିସ ଆଇପିସି ଦଫା ୪୪୮, ୨୯୪, ୩୨୩, ୫୦୬, ୩୫୪, ୩୫୪ ବି, ୩୫୪ ଡି, ୩୪ରେ ମାମାଲା (ନଂ.୩୦୬/୨୧) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସାମ୍ବାଦିକର ପରିଚୟ ଦେଇ ଯଦି ଏହିପରି କେହି ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତି ତା’ହେଲେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ସୂଚନା ଅନୁଯାୟୀ, ଚକେଇସିଆଣୀ ବିନାୟକନଗରରେ ରହୁଥିବା ସ୍ମିତାଞ୍ଜଳି ବିଶ୍ୱାଳ ଓ ଜଣେ ମହିଳାଙ୍କ ମଧ୍ୟରେ ଟଙ୍କା ଦିଆନିଆକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ଶନିବାର ଅପରାହ୍ନରେ ସମ୍ପୃକ୍ତ ମହିଳାଙ୍କ ସପକ୍ଷରେ ଯାଇ ସ୍ମିତାଞ୍ଜଳିଙ୍କୁ ଅଭିଯୁକ୍ତଦ୍ୱୟ ଟଙ୍କା ଦେବାକୁ ଦାବି କରିଥିଲେ। ଜୋର୍‌ ଜବରଦସ୍ତି ତାଙ୍କ ଘରେ ପଶି ଉକ୍ତ ଘଟଣାରେ ପ୍ରତିକ୍ରିୟା ଦେବାକୁ ବାଧ୍ୟ କରିଥିଲେ। ସ୍ମିତାଞ୍ଜଳି ସେମାନଙ୍କୁ ବାରଣ କରିଥିଲେ ବି ଅଭିଯୁକ୍ତଦ୍ୱୟ ଶୁଣି ନ ଥିଲେ। ଟଙ୍କା ନ ଦେଲେ ନିଜ ୱେବ୍‌ ଚ୍ୟାନେଲରେ ଖବର ପରିବେଷଣ କରିବାକୁ ଧମକ ଦେଇ ଅଭିଯୁକ୍ତଦ୍ୱୟ ତାଙ୍କୁ ମାନସିକ ଚାପ ପକାଇଥିଲେ। ଏନେଇ ସ୍ମିତାଞ୍ଜଳୀ ଥାନାରେ ଅଭିଯୋଗ କରିଥିଲେ।