ସପ୍ତାହେ ଯାଏ ଶୁଖିଲା ରହିବ ପାଗ

ଭୁବନେଶ୍ୱର,୪ା୨(ବ୍ୟୁରୋ)-ପଶ୍ଚିମାବାୟୁ ପ୍ରବାହ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଦିନତମାମ ଆକାଶ ମେଘାଚ୍ଛନ୍ନ ରହିବା ସାଙ୍ଗକୁ କେତେକ ସ୍ଥାନରେ ତୁହାକୁ ତୁହା ବର୍ଷା ହୋଇଛି। ଏପରିକି କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ଶୁକ୍ରବାର ରାତିରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଭୁବନେଶ୍ୱର, ଯାଜପୁର, ଖୋର୍ଦ୍ଧା ଆଦି ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି।

ପଶ୍ଚିମା ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଶୀତ ଗାଏବ ହୋଇ ଯାଇଛି। ଆକାଶ ମେଘାଚ୍ଛନ୍ନ ହେବା ସହ ରାତିର ତାପମାତ୍ରାରେ ବୃଦ୍ଧି ଘଟିଛି। ପାରଦ ୫ରୁ ୭ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୪ରୁ ୨୧ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଛି। ଆସନ୍ତା ସପ୍ତାହେ ଯାଏ ପାଗ ଶୁଖିଲା ରହିବ।