Categories: ଜାତୀୟ

ପାଣିପାଗ ପୂର୍ବାନୁମାନ ଏବେ ହେଉଛି କଷ୍ଟକର, ଆଇଏମ୍‌ଡି ନିର୍ଦ୍ଦେଶକ କହିଲେ ଏହାର କାରଣ…

ନୂଆଦିଲ୍ଲୀ, ୭।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ପାଣିପାଗ ଘଟଣାଗୁଡ଼ିକର ସଠିକ ପୂର୍ବାନୁମାନ କରିବାରେ ଏଜେନ୍ସିଗୁଡିକ ଅସଫଳ ରହୁଛନ୍ତି। ଜଳବାୟୁ ପରିବର୍ତ୍ତନ ସ୍ଥିତି ପୂର୍ବାନୁମାନର କ୍ଷମତାକୁ ପ୍ରଭାବିତ କରୁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ବିଶ୍ୱର ପାଣିପାଗ ଏଜେନ୍ସିଗୁଡିକ ସେମାନଙ୍କର ମନିଟରିଂ ନେଟୱାର୍କ ଏବଂ ପାଣିପାଗ ପୂର୍ବାନୁମାନ ମଡେଲଗୁଡିକର ଉନ୍ନତି ଉପରେ ତଥା ଏହାକୁ ଅଧିକ ବିକଶିତ କରିବା ସହ ସୁଧାର ଆଣିବା ଉପରେ ଧ୍ୟାନ ଦେଉଛନ୍ତି। ମହାପାତ୍ର କହିଛନ୍ତି ଯେ ଦେଶରେ ମୌସୁମୀ ବର୍ଷାର କୌଣସି ସ୍ପଷ୍ଟ ଧାରା ନାହିଁ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ବାଦଲ ଫଟା ବର୍ଷାରେ ବୃଦ୍ଧି ଘଟିଥିବାବେଳେ ହାଲୁକା ବର୍ଷା ହ୍ରାସ ପାଇଛି।

ଭାରତରେ ମୌସୁମୀ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ ପଚରାଯିବାରୁ ସେ କହିଥିଲେ, ୧୯୦୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଖରେ ମୌସୁମୀ ବର୍ଷା ତଥ୍ୟ ରହିଛି। ଏହା ଅଧୀନରେ ଉତ୍ତର, ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳରେ ବୃଷ୍ଟିପାତ ହ୍ରାସ ପାଇଥିବାବେଳେ ପଶ୍ଚିମ ରାଜସ୍ଥାନ ଭଳି କେତେକ ସ୍ଥାନରେ ବର୍ଷା ବୃଦ୍ଧି ପାଇଛି। ସେ କହିଛନ୍ତି ଯଦି ଆମେ ସମଗ୍ର ଦେଶକୁ ଦେଖିବା ତେବେ ମୌସୁମୀ ବର୍ଷା ନେଇ ପୂର୍ବଭଳି ପୂର୍ବାନୁମାନ କରିବା କଷ୍ଟକର ହେଉଛି।

ମୌସୁମୀ ଅନିୟମିତ ଏବଂ ବ୍ୟାପକ ଭାବରେ ପରିବର୍ତ୍ତନ ହୋଇଛି। ଜୁଲାଇ ୨୭ରେ କେନ୍ଦ୍ର ସରକାର ସଂସଦରେ କହିଥିଲେ ଯେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମେଘାଳୟ ଏବଂ ନାଗାଲାଣ୍ଡରେ ଗତ ୩୦ ବର୍ଷ ମଧ୍ୟରେ ଗଥ ୧୯୮୯ରୁ ୨୦୧୮ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ହ୍ରାସ ଘଟିଛି। ଏହା କହିଛି ଯେ ଏହି ପାଞ୍ଚଟି ରାଜ୍ୟ ଏବଂ ଅରୁଣାଚଳ ପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ବାର୍ଷିକ ହାରାହାରି ବୃଷ୍ଟିପାତରେ ଉଲ୍ଲେଖନୀୟ ହ୍ରାସ ଘଟିଛି।

ସେହିପରି ୧୯୭୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୈନିକ ବୃଷ୍ଟିପାତ ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ ଦେଶରେ ବାଦଲ ଫଟା ବର୍ଷା ପରିମାଣ ବୃଦ୍ଧି ଘଟିଥିବାବେଳେ ହାଲୁକା କିମ୍ବା ମଧ୍ୟମ ବୃଷ୍ଟିପାତ ହ୍ରାସ ପାଇଛି। ଲଘୁ ଚାପର ଏକ କ୍ଷେତ୍ର ସୃଷ୍ଟି ହେଲେ ବର୍ଷା ଅଧିକ ତୀବ୍ର ହୁଏ। ଭାରତ ସମେତ ଟ୍ରପିକାଲ ବେଲ୍ଟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଧାରା। ଅଧ୍ୟୟନରୁ ପ୍ରମାଣିତ ହୋଇଛି ଯେ ବାଦଲ ଫଟା ବର୍ଷାର ବୃଦ୍ଧି ଏବଂ ହାଲୁକା ବୃଷ୍ଟିପାତ ହ୍ରାସ ହେଉଛି ଜଳବାୟୁ ପରିବର୍ତ୍ତନର ଫଳାଫଳ ବୋଲି ସେ କହିଛନ୍ତି।

Share