ମାସ୍କ୍‌ ବଦଳରେ ମୁହଁରେ ବାନ୍ଧିଲେ ସ୍ତ୍ରୀଙ୍କ ସାୟା…

ଭୋପାଳ, ୨୬।୭: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି। ମାସ୍କ୍‌ ନ ପିନ୍ଧିଲେ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇ ଯାଇଛି। ମଧ୍ୟପ୍ରଦେଶରେ ବଜାରରେ ଜଣେ ଲୋକ ବିନା ମାସ୍କ୍‌ରେ ବୁଲୁଥିଲେ। ହଠାତ୍‌ ସେ ପୋଲିସ ବାବୁଙ୍କ ସାମ୍ନାରେ ପଡ଼ିଯାଇଥିଲେ। ପୋଲିସ ଜରିମାନା ଆଦାୟ କରିବାକୁ କହିଲେ। ତତ୍‌କ୍ଷଣାତ୍‌ ବ୍ୟକ୍ତିଜଣକ ବ୍ୟାଗ୍‌ରୁ ତାଙ୍କ ସ୍ତ୍ରୀଙ୍କ ସାୟା ବାହାର କରି ଏହାକୁ ମୁହଁରେ ବାନ୍ଧି ଦେଇଥିଲେ। ଏହି ଘଟଣା ଦମୋହ ଜିଲାର ବାନ୍ଦକପୁର ଅଞ୍ଚଳରେ ରବିବାର ଘଟିଛି। ବ୍ୟକ୍ତି ଜଣକ ଏଭଳି କରିବାରୁ ବିଚରା ପୋଲିସ ବାବୁ ହସି ହସି ବେଦମ୍‌ ହୋଇ ଜରିମାନା ଆଦାୟ ନ କରି ତାଙ୍କୁ ଛାଡ଼ି ଦେଇଛନ୍ତି। ଏବେ ମୁହଁରେ ସାୟା ବାନ୍ଧିଥିବା ବ୍ୟକ୍ତିଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share