ଆନ୍ଧ୍ର-ଓଡ଼ିଶା ୨ ରାଜ୍ୟରେ ଭୋଟ ଦେବୁ: ସୀମାନ୍ତ ଗ୍ରାମବାସୀ

ନନ୍ଦପୁର,୨୮ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶା-ଆନ୍ଧ୍ରର ବିବାଦ ବଢ଼ିବାରେ ଲାଗିଛି। ଆନ୍ଧ୍ର ପକ୍ଷରୁ ଓଡ଼ିଶା ସୀମାନ୍ତ ଗ୍ରାମଗୁଡ଼ିକରେ ନିର୍ବାଚନୀ ପୋଷ୍ଟର ଲଗାଇବା ସହ ଲୋକଙ୍କୁ ମତଦାନ କରିବାକୁ ଉସୁକା ଯାଉଛି। ତେବେ କୋଟିଆ ଭଳି କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆନ୍ଧ୍ର ନିର୍ବାଚନୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରାର୍ଥୀଙ୍କ ସମର୍ଥିତ ଲୋକେ ଗଁା ଗଁା ବୁଲି ୨ ରାଜ୍ୟର ଭୋଟର କାର୍ଡଧାରୀଙ୍କୁ ଭୋଟ ଦେବାକୁ ପ୍ରଚାର କରୁଛନ୍ତି। କୋରାପୁଟ ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ମଙ୍ଗଳବାର ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା, ତହସିଲଦାର ଦେବବ୍ରତ ମହାରଣା, ପାଡୁଆ ଥାନାଧିକାରୀ ଟୁନା ପିଡିକାଙ୍କ ସମେତ ବ୍ଲକର ସମସ୍ତ ବିଭାଗର ଅଧିକାରୀ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ରାଇପାହାଡ଼ ଗ୍ରାମରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ବିକାଶ ପାଇଁ କରାଯାଉଥିବା ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଓଡ଼ିଶା ସୀମା ଭିତରେ ଆନ୍ଧ୍ରର କୌଣସି ବୁଥ୍‌ ପ୍ରତିଷ୍ଠା ହେଉ ନ ଥିବା ଜଣାପଡ଼ିଛି। ଅଧିକାରୀମାନେ ଲୋକଙ୍କ ସହ ମିଶି ସେଠାରୁ ନିର୍ବାଚନୀ ପୋଷ୍ଟରଗୁଡ଼ିକ କାଢ଼ିଥିଲେ। ସୂଚନା ମୁତାବକ ନନ୍ଦପୁର ବ୍ଲକ ସୀମାନ୍ତ ଗୋଲୁର, ପାନ୍ଥଲୁଙ୍ଗ, ଚାଟୁଆ, ଖିନବର ଓ ବିଲାପୁଟ ପଞ୍ଚାୟତର ସୀମାନ୍ତ ଗ୍ରାମର ଅଧିକାଂଶ ଲୋକଙ୍କ ନିକଟରେ ୨ ରାଜ୍ୟର ଭୋଟର, ଆଧାର, ରାଶନ ଓ ଜବ୍‌ କାର୍ଡ ରହିଛି। ଗ୍ରାମବାସୀ ୨ ରାଜ୍ୟର ସରକାରୀ ଯୋଜନାର ହିତାଧିକାରୀ ଭାବେ ଭତ୍ତା, ଆବାସ, ବିଦ୍ୟୁତ୍‌, ଶିକ୍ଷା ଆଦି ସମସ୍ତ ସୁବିଧା ପାଉଛନ୍ତି। ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଧାର, ରାଶନ, ଜବ୍‌ ଓ ଭୋଟର କାର୍ଡ ସହ ଅନ୍ୟ ସମସ୍ତ ସରକାରୀ ଯୋଜନାର ସୁବିଧା ପାଉଥିବାରୁ ଦ୍ରୋହୀ ହେବୁ ନାହିଁ ବୋଲି ସୀମାନ୍ତ ଗ୍ରାମବାସୀ କହିଛନ୍ତି। ନଭେମ୍ବର ୩ରେ ହେବାକୁ ଥିବା ନିର୍ବାଚନରେ ସାମିଲ ହୋଇ ଆନ୍ଧ୍ର ବୁଥ୍‌କୁ ଯାଇ ଭୋଟ ଦେଇ ଆସିବୁ ବୋଲି ଉପରୋକ୍ତ ୫ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀ କହିଛନ୍ତି। ଓଡ଼ିଶାର ନିର୍ବାଚନ ହେଲେ ମଧ୍ୟ ଏଠାକାର ପ୍ରାର୍ଥୀଙ୍କୁ ଭୋଟ ଦେବୁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଲୋକଙ୍କ ଏଭଳି ମନ୍ତବ୍ୟ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଚିନ୍ତା ବଢ଼ାଇଛି। ଓଡ଼ିଶା ତଥା କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ସୀମା ଆରପଟ ଥିବା ଆନ୍ଧ୍ର ପ୍ରଶାସନ ଦ୍ୱାରା ସ୍ଥାପିତ ମୁଚିଙ୍ଗପୁଟ, ଆଡ୍ରାକୋଟା, ମାଳିପୁଟ, କଣ୍ଡ୍ରୁମ ଓ ଗୋରାପୁର ବୁଥ୍‌ ଉପରେ ନଜର ରଖିବାକୁ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share