ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି ବୋଲି ସେ ଜାଣି ନାହାନ୍ତି। ସେହି ସାକ୍ଷାତ୍‌କାରରେ ମୋତେ ପଚରାଯାଇଥିବା ପ୍ରଶ୍ନ ଓ ସେ ସବୁର ଉତ୍ତରକୁ ମୁଁ ପୁଣି ଥରେ ଦୋହରାଉଛି। ଏହାଦ୍ୱାରା ସାକ୍ଷାତ୍‌କାର ନେଇଥିବା ବ୍ୟକ୍ତି ଜଣକ କ’ଣ ବୁଝିଲେ ସେ ସମ୍ପର୍କରେ ଆପଣ ଏକ ସ୍ପଷ୍ଟ ଚିତ୍ର ପାଇପାରିବେ ଏବଂ ଭାରତର ଏବକାର ସ୍ଥିତି ସହିତ ଏହାକୁ ବି ତୁଳନା କରିପାରିବେ।
ଖବରଦାତା ଜଣକ ପ୍ରଥମେ ହିନ୍ଦୁତ୍ୱର ଉତ୍ପତ୍ତି, ବୈଚାରିକ ଭିତ୍ତିଭୂମି ଏବଂ ଏହା ହିନ୍ଦୁଧର୍ମଠାରୁ କିପରି ଭିନ୍ନ, ସେ ବିଷୟରେ ଜାଣିବାକୁ ଚାହିଁଥିଲେ। ମୁଁ ତାଙ୍କୁ କହିଲି, ହିନ୍ଦୁତ୍ୱ ଶବ୍ଦ ‘ହିନ୍ଦୁ’ ଏବଂ ‘ତ୍ୱ’କୁ ନେଇ ଗଠିତ ଏବଂ ଏହାର ଅର୍ଥ ହେଉଛି ‘ହିନ୍ଦୁହେବାର ଗୁଣ’। ଏହି ଶବ୍ଦଟି ଏକ ଶତାବ୍ଦୀ ପୂର୍ବେ ସଭରକରଙ୍କ ପୁସ୍ତକରେ ବ୍ୟବହାର କରାଯାଇଥିଲା। ସେ ଲେଖିଥିଲେ, ଇଣ୍ଡିଆ ଏବଂ ହିନ୍ଦୁ ଶବ୍ଦ ଦ୍ୱୟ ଇଣ୍ଡସ ଓ ସିନ୍ଧୁ ଭଳି ମୂଳ ଶବ୍ଦରୁ ଆସିଛି। ମୁଁ ଆହୁରି କହିଲି, ହିନ୍ଦୁଧର୍ମ ଏକ ଧର୍ମ ଏବଂ ଏହା ଭଗବାନ, ପ୍ରାର୍ଥନା, ଉପବାସ, ପର୍ବପର୍ବାଣି ଭଳି ବ୍ୟକ୍ତିଗତ ବିଶ୍ୱାସ ସହିତ ଜଡ଼ିତ। କିନ୍ତୁ ହିନ୍ଦୁତ୍ୱ ଅନ୍ୟ ବ୍ୟକ୍ତିଙ୍କ ବିଶ୍ୱାସ ଏବଂ ସେମାନେ କ’ଣ ଖାଇପାରିବେ ନାହିଁ, କେଉଁଠି ପ୍ରାର୍ଥନା କରିପାରିବେ ନାହିଁ, କାହାକୁ ଭଲ ପାଇପାରିବେ ନାହିଁ ଏବଂ କେଉଁଠି ରହିପାରିବେ ନାହିଁ; ସେ ସମସ୍ତ ବିଷୟରେ ଅଧିକ ମୁଣ୍ଡଖେଳାଏ। ସେ ପଚାରିଲେ, ଭାଜପାର ଉତ୍‌ଥାନ ପଥେ ଭାରତୀୟ ରାଜନୀତିରେ ହିନ୍ଦୁତ୍ୱ କିପରି ପ୍ରଭାବଶାଳୀ ହେଲା। ମୁଁ କହିଲି, ୧୯୫୧ ମସିହାରେ ଗଠିତ ହୋଇ ଚାରି ଦଶନ୍ଧି ଧରି ଭାରତୀୟ ଜନତା ପାର୍ଟି(ଭାଜପା)/ଭାରତୀୟ ଜନସଂଘ(ଭାଜେଏସ୍‌)ର ଭୋଟ ପ୍ରତିଶତ ଜାତୀୟସ୍ତରରେ କେବଳ ଏକ ଅଙ୍କ ବିଶିଷ୍ଟ ଥିଲା ଏବଂ ୧୯୯୦ ପର୍ଯ୍ୟନ୍ତ ମେଣ୍ଟ ବିନା କୌଣସି ରାଜ୍ୟରେ ଜିତି ନ ଥିଲା। ଅଯୋଧ୍ୟାରେ ମସ୍‌ଜିଦ ଭଙ୍ଗାଯିବା ଘଟଣା ଭାଜପାକୁ ଲୋକପ୍ରିୟ କଲା ଏବଂ ଦଳର ଭୋଟ ପ୍ରତିଶତ ୧୮% ପହଞ୍ଚତ୍ଗଲା। ମସ୍‌ଜିଦ ଭଙ୍ଗା ହିଂସାରେ ପ୍ରାୟ ୩,୦୦୦ ଭାରତୀୟଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ କଶ୍ମୀରରେ ମୁସଲମାନଙ୍କର ସାମ୍ବିଧାନିକ ସ୍ବାୟତ୍ତତା ଛଡ଼ାଇ ନେବା ଏବଂ ସେମାନଙ୍କର ବ୍ୟକ୍ତିଗତ ଆଇନକୁ ପ୍ରତ୍ୟାହାର କରିବା ଭଳି ଦାବି ହିନ୍ଦୁତ୍ୱ ପ୍ରସଙ୍ଗକୁ ଦୀର୍ଘଦିନ ଧରି ଜାରି ରଖିଲା।
ତା’ପରେ ଭାରତର ରାଜନୈତିକ ସଂସ୍ଥା ଏବଂ ରାଜନୈତିକ ପରିବେଶ ଓ ସଂଖ୍ୟାଲଘୁଙ୍କୁ ହିନ୍ଦୁତ୍ୱ କିପରି ପ୍ରଭାବିତ କରିଛି, ସେ ସମ୍ପର୍କରେ ଆଲୋଚନା କଲେ। ଏଠାରେ ଆମ ଶାସକ ଦଳର ମନ୍ତ୍ରୀ, ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟ ଏବଂ ବିଧାୟକମାନଙ୍କ ମଧ୍ୟରେ ଥିବା ବାଛବିଚାର ବା ପୃଥକୀକରଣ ନୀତିକୁ ଉପସ୍ଥାପନ କରିବା ଛଡ଼ା ମୋ ପାଖରେ ଅନ୍ୟ ଉପାୟ ନ ଥିଲା। ୨୦୧୫ରୁ ଗୋମାଂସ ରଖିବାକୁ ଅପରାଧୀକରଣ କରିଥିବା ଆଇନଗୁଡ଼ିକ ଆରମ୍ଭ ହେବା ଯୋଗୁ ଗୋମାଂସକୁ ନେଇ ଭିଡ଼ ହିଂସା ବଢ଼ିଲା। ୨୦୧୮ରୁ ଆନ୍ତଃଧର୍ମୀୟ ବିବାହକୁ ଅପରାଧ ଦର୍ଶାଉଥିବା ଆଇନଗୁଡ଼ିକ ଆରମ୍ଭ ହେଲା। ଜଣେ ବ୍ୟକ୍ତି ନିଜକୁ ଦୋଷମୁକ୍ତ ବୋଲି ପ୍ରମାଣ କରିବା ଭଳି ଆଇନ ବିଷୟରେ ଜାଣି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ, ଏସବୁ ଥିବା ସତ୍ତ୍ୱେ ଆପଣ ନିଜକୁ ଏକ ଗଣତନ୍ତ୍ର ବୋଲି କିପରି କହିପାରୁଛନ୍ତି। ମୁଁ ନିରୁତ୍ତର ରହିଲି। ପରେ ସେ ପଚାରିଲେ, ହିନ୍ଦୁତ୍ୱ ରାଜନୀତିକୁ ସ୍ବୀକାର କରିବାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା କ’ଣ ଏବଂ ଏହା ନିର୍ବାଚନରେ କାହିଁକି ସଫଳ ହୋଇଛି? ମୁଁ କହିଲି, ମୋଦି ତାଙ୍କ ପୂର୍ବରୁ ଥିବା ଭାଜପା ନେତାଙ୍କ ତୁଳନାରେ ହିନ୍ଦୁତ୍ୱକୁ ଖୋଲାଖୋଲି ଭାବେ ଅତ୍ୟଧିକ ସମର୍ଥନ କରିଛନ୍ତି। ଏହା ତାଙ୍କୁ ସମର୍ଥକମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିଛି ଏବଂ ସାରା ଦେଶରେ ଭାଜପାକୁ ୩୮% ଭୋଟ ସ୍ତରକୁ ନେଇଯାଇଛି, ଯେଉଁଠାରେ ଏହା ସ୍ଥିର ରହିଛି। ତା’ପରେ ସେ ପଚାରିଲେ, ହିନ୍ଦୁତ୍ୱ ଭାରତର ମୁସଲମାନ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କୁ କିପରି ପ୍ରଭାବିତ କରିଛି? ଭାରତରେ ସଂଖ୍ୟାବହୁଳବାଦୀ ରାଜନୀତିର ଉତ୍ଥାନ ସଂଖ୍ୟାଲଘୁଙ୍କ ସ୍ଥିତିରେ ପରିବର୍ତ୍ତନ ଆଣିଛି କି? ମୁଁ ଯଥାସମ୍ଭବ ଉତ୍ତର ଦେଲି। ଭାରତ ବାହାରେ ହିନ୍ଦୁତ୍ୱ ବିଷୟରେ ପଚାରିବାରୁ ତାଙ୍କୁ କହିଲି, ଯେତେବେଳେ ପାଲେଷ୍ଟିନୀୟଙ୍କ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ନ୍ୟାୟସଙ୍ଗତ ଦର୍ଶାଇବାକୁ କୁହାଯାଏ, ସେତେବେଳେ ଭାରତକୁ ତା’ର ଏକ ବିଶ୍ୱସ୍ତ ବନ୍ଧୁ ଓ ସହଯୋଗୀ ଭାବରେ ଇସ୍ରାଏଲ ଦର୍ଶାଏ। ମୁଁ କହିଲି, ୨୦୧୪ରୁ ଆମର ବିଶ୍ୱସ୍ତରୀୟ ମହତ୍ତ୍ୱାକାଂକ୍ଷା ଆଞ୍ଚଳିକ ସ୍ତରକୁ ଚାଲିଆସିଛି। ପଡ଼ୋଶୀଙ୍କୁ ପଛରେ ପକାଇବା ଆମର ମୁଖ୍ୟ ଚିନ୍ତା ହୋଇଛି। ଆମେ ଚାଇନା ସହିତ ପ୍ରତିଯୋଗିତା କରିବା ବନ୍ଦ କରିଦେଇଛୁ ଏବଂ ମୁଁ ତାଙ୍କୁ ୧୯୯୧ ମସିହା ପରଠାରୁ ଅର୍ଥନୀତି ଏବଂ ସ୍ଥିତି ସମ୍ପର୍କରେ କିଛି ତଥ୍ୟ ମଧ୍ୟ ଦେଇଥିଲି।
ସେ ପଚାରିଲେ, ଭାଜପା ନେତାମାନେ କ’ଣ ସେମାନେ କରୁଥିବା କ୍ଷତି ଦେଖିପାରୁନାହାନ୍ତି? ମୋର ଅନୁଭବ ଅନୁସାରେ କହିଲି, ସେମାନେ ପ୍ରକୃତରେ ନିଜ ବିଚାରଧାରା ଉପରେ ବିଶ୍ୱାସ କରନ୍ତି। ଏହି କାରଣରୁ ବାସନ୍ଦ ଏବଂ ନିର୍ଯାତନା ଯାହାସବୁ ଘଟୁଛି ତାହା ଜାରି ରହିବ। ଶେଷରେ ସେ ମୋତେ କହିଲେ, ଭାରତ ସଂଖ୍ୟାବହୁଳବାଦୀ ରାଜନୀତିରୁ ଦୂରେଇ ଯାଇପାରିବ କି? ଏଥିରେ ବିରୋଧୀ ଦଳ ଏବଂ ଭାରତର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର କି ଭୂମିକା ରହିବ ଏବଂ ହିନ୍ଦୁତ୍ୱର ବଢୁଥିବା ପ୍ରଭାବକୁ ଭାରତର ବିବିଧତାବାଦୀ ପରମ୍ପରା ପ୍ରତିହତ କରିପାରିବ କି ନାହିଁ ପଚାରିଲେ। ମୁଁ କହିଲି, ଆମର ପ୍ରକୃତ ସ୍ବରୂପ ହେଉଛି ବିବିଧତାବାଦୀ, ହେଲେ ଏହା ସମାଜ ଓ ସରକାରଙ୍କ ବିଚାରଧାରାରେ ପ୍ରତିଫଳିତ ହୁଏ ନାହିଁ। ଭବିଷ୍ୟତ ସମ୍ବନ୍ଧରେ କହିବାକୁ ଗଲେ ଏହା ଅନ୍ଧକାରମୟ, କାରଣ ପଚାଶ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ କିପରି ମୁକ୍ତ କରାଯିବ ସେ ନେଇ ଆମ ପାଖରେ କୌଣସି ଯୋଜନା ନାହିଁ। ଫଳରେ ସେମାନେ ସେମିତି ରହିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେ ଏ ବିଷୟରେ ଆଲୋଚନା କରିବା ପାଇଁ ଜରୁରୀ ମନେକରୁନାହଁୁ। ଏହା ଆମ ଦେଶରେ ରାଜନୀତିର ମୁଖ୍ୟ ଆଧାର ହୋଇ ରହିନାହିଁ। ଆମେ ଗରିବ ଏବଂ ବିଶ୍ୱସ୍ତରରେ ଅପ୍ରାସଙ୍ଗିକ ହୋଇ ରହିବୁ। କିନ୍ତୁ ଆମର ସଂଖ୍ୟାଲଘୁମାନେ ଆମ ଅପେକ୍ଷା ଅଧିକ ଖରାପ ସ୍ଥିତିରେ ରହିବା ଦେଖି ସନ୍ତୁଷ୍ଟ ହେବୁ।

Dharitri – Odisha’s No.1 Odia Daily

Share