Categories: ଖେଳ

ଧମକ ଦେଲେ ପାକିସ୍ତାନ କ୍ରିକେଟ୍‌ର: କହିଲେ, ଆମେ ଛାଡିବୁ ନାହିଁ

ଇସଲାମାବାଦ,୨୨।୯: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ନ୍ୟୁଜିଲାଣ୍ଡ କ୍ରିକେଟ ଦଳକୁ ଧମକ ଦେଇଛନ୍ତି। ପାକିସ୍ତାନ ଟୁରରୁ ହଠାତ୍‌ ପ୍ରତ୍ୟାହାର କରିବା ପରେ ରାଗରେ ନିଆଁବାଣ ଅଛନ୍ତି ଅଖତର। ସେ କ୍ରିକେଟ ପଡ଼ିଆରେ କିୱି ଦଳକୁ ଛାଡିବେ ନାହିଁ ବୋଲ ବୋଲି ଧମକ ଦେଇଛନ୍ତି। କିୱି ଦଳ ୧୮ ବର୍ଷ ପରେ ପାକିସ୍ତାନ ଆସିଥିଲା। ମାତ୍ର ସେପ୍ଟେମ୍ବର ୧୭ ରେ ରାୱଲପିଣ୍ଡିରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ପୂର୍ବରୁ ନ୍ୟୁଜିଲାଣ୍ଡ ଆତଙ୍କବାଦୀଙ୍କ ଆଶଙ୍କା ଦର୍ଶାଇ ଏହି ଯାତ୍ରା ଛାଡିବାକୁ ଘୋଷଣା କରିଥିଲା। ସେବେଠାରୁ ପାକିସ୍ତାନର ବର୍ତ୍ତମାନର ତଥା ପୂର୍ବତନ ଖେଳାଳିମାନେ ମଧ୍ୟ ନ୍ୟୁଜିଲାଣ୍ଡ ଦଳ ଉପରେ ମନ୍ତବ୍ୟ ଦେଉଛନ୍ତି। ଏଥିରେ ସବୁଠାରୁ ବଡ ନାମ ହେଉଛି ଶୋଏବ ଅଖତର।
ଅଖତର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଶେୟାର କରିଥିବା ଭିଡିଓରେ ସେ କହିଛନ୍ତି ଯେ, ଟି -୨୦ ବିଶ୍ୱକପ ୨୦୨୧ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡର ଦଳ ୨୬ ଅକ୍ଟୋବରରେ ମୁହାଁମୁହିଁ ହେବେ ଏବଂ ଏହି ମ୍ୟାଚ ଶାରଜାଠାରେ ଖେଳାଯିବ। ଏହି ମ୍ୟାଚ୍‌ରେ ସେ ନ୍ୟୁଜିଲାଣ୍ଡକୁ ପ୍ରତିଶୋଧ ନେବାକୁ କହିଛନ୍ତି। ସେ କହିଛନ୍ତି ଯେ, ଟି -୨୦ ବିଶ୍ୱକପରେ ଆମର ପ୍ରଥମ ମ୍ୟାଚ ଭାରତ ବିପକ୍ଷରେ। କିନ୍ତୁ ବଡ ମ୍ୟାଚ ୨୬ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ସହିତ। ଏହି ମ୍ୟାଚରେ ଆମକୁ ପ୍ରତିଶୋଧ ନେବାକୁ ପଡିବ ଏବଂ ପଡ଼ିଆରେ ଥିବା ସମସ୍ତ ରାଗକୁ ବାହାର କରିବାକୁ ପଡିବ। ଏହି ସମୟରେ ପାକିସ୍ତାନ ଦଳ କେବଳ ଏହା ଉପରେ ଧ୍ୟାନ ଦେବା ଉଚିତ୍‌। ପ୍ରଥମେ ପିସିବିକୁ ଏହାର ଚୟନ ଠିକ କରିବାକୁ ପଡିବ ଏବଂ ଦଳରେ ୩-୪ ଭଲ ବାଳକଙ୍କୁ ସ୍ଥାନ ଦେବାକୁ ପଡିବ। ଯାହାଦ୍ୱାରା ପାକିସ୍ତାନର ଦଳ ଅଧିକ ଶକ୍ତିଶାଳୀ ହେବ। ଏହାଠାରୁ ପାକିସ୍ତାନ କ୍ରିକେଟ ଖରାପ ସମୟ ଦେଖିଛି। ଆମେ ନିଶ୍ଚିତ ଭାବରେ ଏହି ପରିସ୍ଥିତିକୁ ଦୂର କରିବୁ।
ନ୍ୟୁଜିଲାଣ୍ଡ ପାକିସ୍ତାନର କ୍ଷତରେ ଲୁଣ ଛିଞ୍ଚି ଇଂଲଣ୍ଡ ମଧ୍ୟ ଅକ୍ଟୋବରରେ ହେବାକୁ ଥିବା ଗସ୍ତରୁ ଓହରି ଯାଇଥିଲା। ଅକ୍ଟୋବରରେ ଇଂଲଣ୍ଡର ପୁରୁଷ ଓ ମହିଳା ଦଳ ପାକିସ୍ତାନକୁ ଆସି ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବାକୁ ଯାଉଥିଲେ। ତେବେ ଇସିବି ଏହି ଯାତ୍ରାକୁ ବାତିଲ କରିଦେଇଛି।

Share