‘ଏଥର କ୍ଷମା ନାହିଁ: ଖୋଜିବୁ, ଦଣ୍ଡ ଦେବୁ’

ଓ୍ବାଶିଟନ୍‌,୨୭।୮: କାବୁଲର ବିମାନବନ୍ଦରରେ ଆଇଏସଆଇଏସ ଦ୍ୱାରା ହୋଇଥିବା ଆତ୍ମଘାତୀ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାଇଡେନ କହିଛନ୍ତି, ‘ଆମେ କ୍ଷମା କରିବୁ ନାହିଁ। ଆମେ ଭୁଲି ପାରିବୁ ନାହିଁ। ଆମେ ଖୋଜିକି (ଆତଙ୍କବାଦୀ) ପାଇବୁ ଏବଂ କରିଥିବା ନୃଶଂସ କାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡ ଦେବୁ। ହ୍ବାଇଟ ହାଉସରୁ ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ଆମେରିକୀୟ ନାଗରିକମାନଙ୍କୁ ଆଫଗାନିସ୍ତାନରୁ ରକ୍ଷା କରିବୁ। ଆମେ ଆମର ଆଫଗାନିସ୍ତାନ ସହଯୋଗୀମାନଙ୍କୁ ବାହାର କରିବୁ ଏବଂ ଆମର ମିଶନ ଜାରି ରହିବ। କାବୁଲ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ତାଲିବାନ ଏବଂ ଇସଲାମିକ ଷ୍ଟେଟ ମଧ୍ୟରେ ସମ୍ପୃକ୍ତ ହେବାର କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ଆକ୍ରମଣରେ ୭୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ଘଟିଛି ଏବଂ ୧୮ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ମୋଟ ୧୪୩ ଜଣ ଆହତ ହୋଇଛନ୍ତି। ଏହି ବୋମା ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନ ଆଇଏସ (ଇସଲାମିକ ଷ୍ଟେଟ)ର ହାତ ଥିବା ସାମ୍ନାକୁ ଆସୁଥିଲା ଏବଂ ବିଳମ୍ବିତ ରାତିରେ ସେ ଏହା ସ୍ବୀକାର ମଧ୍ୟ କରିଛି।

Share