‘କୋର୍ଟଙ୍କ ନିଷ୍ପତ୍ତି ଆମେ ମାନିବୁ’

ବ୍ରହ୍ମପୁର ଅଫିସ,୨୬ା୧୧: ନ୍ୟାୟ ଗୁହାରି କରି ବ୍ରହ୍ମାନଗରଠାରେ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି ବୋହୂ ତପସ୍ବିନୀ ଦାଶ। ତପସ୍ବିନୀ ଭାରପ୍ରାପ୍ତ ସମାଜ ମଙ୍ଗଳ ଅଧିକାରୀ କ୍ରିଷ୍ଣା କୁମାରୀ ନନ୍ଦଙ୍କ ଜରିଆରେ କୋର୍ଟରେ ପିଟିସନ୍‌ ରୁଜୁ କରି ଶ୍ୱଶୁର ଘରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ବ୍ରହ୍ମପୁର ଏସଡିଜେଏମ୍‌ ଉକ୍ତ ପିଟିସନ୍‌ ଗ୍ରହଣ କରିଛନ୍ତି। ଶନିବାର ଏହା ଉପରେ ଶୁଣାଣି କରାଯିବ ବୋଲି ତାରିଖ ଧାର୍ଯ୍ୟ ହୋଇଛି। ଶନିବାର କୋର୍ଟରେ ଉଭୟ ପକ୍ଷ ଉପସ୍ଥିତ ରହିବେ।
ପ୍ରକାଶ ଯେ, ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଯୁବ ଡାକ୍ତର ସୁମିତ କୁମାର ସାହୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଗତବର୍ଷ କୋର୍ଟରେ ବିବାହ କରିବା ସହ ଏକାଠି ରହିଥିଲେ। ଗତକିଛି ମାସ ହେବ ସ୍ବାମୀ, ଶାଶୁ ଓ ଶ୍ୱଶୁର ମିଶି ନିର୍ଯାତନା ଦେଇଥିବା ନେଇ ତପସ୍ବିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ବୋହୂକୁ ମନାଇବା ସହ ବାହାଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ୨୨ ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶ୍ୱଶୁର ଘର ଲୋକ କୌଣସି ଆୟୋଜନ କରି ନ ଥିବାରୁ ତପସ୍ବିନୀ ବଧୂ ବେଶ ହୋଇ ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ଶ୍ୱଶୁର ଘର ଆଗରେ ଧାରଣା ଦେଇଥିଲେ। ନ୍ୟାୟ ନ ମିଳିବାରୁ ଶେଷରେ ତପସ୍ବିନୀ କୋର୍ଟର ଆଶ୍ରୟ ନେଇଛନ୍ତି। ଅନ୍ୟପଟେ ତପସ୍ବିନୀଙ୍କ ସ୍ବାମୀ ଏବଂ ଶ୍ୱଶୁର କୋର୍ଟ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରାଯିବ ବୋଲି କହିଛନ୍ତି।