ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ ଛାତ୍ରୀଛାତ୍ରମାନେ ସରକାରଙ୍କୁ ଡରିବା ଛାଡ଼ି ଦେଇଛନ୍ତି। ଯେତେବେଳେ ସାଧାରଣ ଛାତ୍ର ସରକାରକୁ ଡରିବା ଛାଡ଼ିଦିଏ, ତା’ପରେ ଶାସନରେ ବସିଥିବା ବ୍ୟକ୍ତିବିଶେଷ ସାଧାରଣ ଛାତ୍ର ଓ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ଡରିବା ଆରମ୍ଭ କରନ୍ତି। ସବୁବେଳେ ଲକ୍ଷ୍ୟ କରାଯାଇଛି ସରକାର ସାଧାରଣ ଲୋକଙ୍କୁ ଡରିଥାଆନ୍ତି, ସାଧାରଣ ଲୋକ କେବେ ସରକାରକୁ ଡରିବାର କଥା ନୁହେଁ। ଏହି ଲକ୍ଷ୍ୟ ପୂରଣ ଲାଗି ଯେଉଁ ଛାତ୍ର ଓ ଯୁବକମାନେ ଆଗକୁ ଆସିଛନ୍ତି ଏବଂ ଓଡ଼ିଶାରୁ ମଧ୍ୟ ଯେଉଁମାନେ ଏହି ଧାରାରେ ସାମିଲ ହୋଇଛନ୍ତି ସେମାନଙ୍କୁ କ୍ରାନ୍ତିକାରୀ ପ୍ରଣାମ ବୋଲି ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏଶନ (ଆଇସା)ର ରାଷ୍ଟ୍ରୀୟ ସଭାପତି ନେହା ବୋରା କହିଛନ୍ତି।

ଭୁବନେଶ୍ୱରର ନାଗଭୂଷଣ ଭବନଠାରେ ଶନିବାର ଆୟୋଜିତ ଆଇସା ଓ ରେଭଲ୍ୟୁଶନାରି ୟୁଥ୍‌ ଆସୋସିଏଶନ (ଆର୍‌ଓ୍ୱାଇଏ)ର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଛାତ୍ରୀଛାତ୍ର, ଯୁବତୀଯୁବକ ଏବଂ ଉଭୟ ସଙ୍ଗଠନର ସଦସ୍ୟମାନେ ଯୋଗଦେଇଛନ୍ତି। ଏହି ଅବସରରେ ନେହା କହିଛନ୍ତି, ଦେଶର ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ଉନ୍ନତୀକରଣ ଲୋକଙ୍କ ଟିକସ ଅର୍ଥରେ ହୋଇଥାଏ। ସରକାରରେ ବସିଥିବା ଲୋକମାନେ ଯେତେବେଳେ କୌଣସି ଛାତ୍ର ଆନ୍ଦୋଳନ ହେଉଥିବା ଦେଖୁଛନ୍ତି, ସେତେବେଳେ ପ୍ରତିବାଦ କରୁଥିବା ପିଲାଙ୍କୁ ଦେଶ ବିରୋଧୀ ଆଖ୍ୟା ଦେଉଛନ୍ତି। କ୍ଷମତାସୀନ ଲୋକମାନେ ଏବେ ଛାତ୍ରୀଛାତ୍ରମାନଙ୍କୁ ଅସରପା, ଭାଇରସ୍‌, ଆତଙ୍କବାଦୀ ବୋଲି କହିଲେଣି। କ୍ଷମତାସୀନ ଲୋକଙ୍କୁ ଜଣାଇବାକୁ ଚାହଁୁ, ଏ ଦେଶ ଆମେ ନିର୍ମାଣ କରୁଛୁ। ଆପଣମାନଙ୍କୁ ଯେଉଁ କ୍ଷମତାର ଆସନ ୫ ବର୍ଷ ପାଇଁ ମିଳିଛି, ତାହା ଉଧାରରେ ଦିଆଯାଇଛି। କ୍ଷମତାରେ ବସିଥିବା ଲୋକମାନେ ଲୋକଙ୍କ ସେବା କରିବା କଥା ଯେତେବେଳେ ଭୁଲିଯାଆନ୍ତି, ସେମାନଙ୍କୁ କେମିତି ଉଧାରରେ ମିଳିଥିବା ଆସନରୁ ଭିଡ଼ିକି ମାଟିରେ ପକାଇ ଦିଆଯାଇପାରିବ ସେକଥା ଏ ଦେଶର ଲୋକମାନେ ଭଲରେ ଜାଣନ୍ତି। ଏହାର ଉଦାହରଣ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ପଦରୁ କାଢ଼ିଦିଆଯାଇସାରିଛି। ଆଗକୁ ଭାଜପାର ପୂରା କ୍ୟାବିନେଟ୍‌କୁ ଖାଲିକରି ଆଉ ଗୋଟେ ଉଦାହରଣ ଦିଆଯିବ। ଦେଶର ଶିକ୍ଷା ବ୍ୟବସ୍ଥାରେ ବିନିଯୋଗ କରିବା ଛାତ୍ରୀଛାତ୍ରଙ୍କ ପାଇଁ ସରକାରଙ୍କ ଭିକ ନୁହେଁ, ବରଂ ଦେଶ ନିର୍ମାଣ ଲାଗି ଏହା ହେଉଛି ଦାୟିତ୍ୱ ବୋଲି ନେହା କହିଛନ୍ତି।

ସେ ଆହୁରି କହିଛନ୍ତି, ସରକାରରେ ବସିଥିବା ଲୋକମାନେ ଏନ୍‌ଟିଏ ଭଳି ସଂସ୍ଥାକୁ ନେଇ ଆସୁଛନ୍ତି, ଯେଉଁ ସଂସ୍ଥା ପେପର ଲିକ୍‌ ବ୍ୟବସ୍ଥାକୁ ଆଇନସମ୍ମତ କରୁଛନ୍ତି। ଏନ୍‌ଟିଏରେ ବସୁଥିବା ଲୋକମାନେ ଭାଜପା ଯୁବ ମୋର୍ଚ୍ଚା ସଦସ୍ୟ। କୌଣସି ପ୍ରଶ୍ନପତ୍ର ପ୍ରସ୍ତୁତିର ବ୍ୟବସ୍ଥା ଭିତରେ ସେମାନେ ପଶି ସେହି ପ୍ରଶ୍ନପତ୍ରକୁ ୧୨ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। ଦେଶର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବିକ୍ରିକରିଦିଆଯାଉଛି। ଗରିବ ପରିବାରର ପିଲା ଯେତେବେଳେ ଜମି ବିକ୍ରିକରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି, ଶେଷରେ ଯେତେବେଳେ ପ୍ରଶ୍ନପତ୍ର ଏନ୍‌ଟିଏ ଦ୍ୱାରା ଲିକ୍‌ କରିଦିଆଯାଉଛି ଏହା ଦେଶର ଭବିଷ୍ୟତ ପାଇଁ ଧୋକା ହେଉଛି। ଦେଶର ବିଶ୍ୱବିଦ୍ୟାଳୟ ଆଦିକୁ ପୁଞ୍ଜିପତିଙ୍କ ହାତକୁ ଟେକିଦେବା ପାଇଁ ଏନ୍‌ଇପି (ନ୍ୟାଶନାଲ ଏଜୁକେଶନ ପଲିସି) ଅଣାଯାଇଛି, ହେଲେ ସାଧାରଣ ଲୋକଙ୍କୁ କୁହାଯାଉଛି ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାର ବିକାଶ ହେବ। ସରକାରର କାମ ହେବା କଥା, ଯେପରି ମନ୍ତ୍ରୀ, ଶିଳ୍ପପତିଙ୍କ ପିଲାମାନେ ଯେଉଁଠାରେ ପଢୁଛନ୍ତି, ସେଠାରେ ଗରିବ ପରିବାରରୁ ଆସୁଥିବା ଛାତ୍ର ମଧ୍ୟ ଶିକ୍ଷା ପାଇବା ଦରକାର। ହେଲେ ସରକାର ତାହା କରିବା ପରିବର୍ତ୍ତେ ପୁଞ୍ଜିପତିଙ୍କୁ ଶିକ୍ଷା ବ୍ୟବସ୍ଥା ବିକିଦେବା ପାଇଁ ଅଧିକ କାମ କରୁଛନ୍ତି। ଏ ସରକାର ଜାତି, ଧର୍ମ ନାଁରେ ଭୋଟ ମାଗୁଛି। କେତେଜଣ ହାତଗଣତି ପୁଞ୍ଜିପତିଙ୍କ ସରକାର ପାଲଟିଛି। ରେଲଓ୍ୱେକୁ ବିକ୍ରିକରି ଘରୋଇକରଣ କରିଦିଆଯାଇଛି। ରେଲଓ୍ୱେ ବ୍ୟବସ୍ଥା ଯେତେବେଳେ ଘରୋଇକରଣ କରାଯାଉଛି, ସେମାନେ ଅଧିକ ଲାଭ ପାଇବା ପାଇଁ ୨ ହଜାର ଶ୍ରମିକଙ୍କ ସ୍ଥାନରେ ୫୦୦ ଶ୍ରମିକରେ ଅଧିକ କାମ କରାଯାଉଛି। ଫଳରେ ରେଳ ଦୁର୍ଘଟଣା ଏକ ସାଧାରଣ ଘଟଣା ହୋଇଗଲାଣି। ବେକାରି ସମସ୍ୟା ଚରମସୀମାରେ ପହଞ୍ଚିଛି। ଦେଶରେ ଯେଉଁ ସରକାର କେତେଜଣ ପୁଞ୍ଜିପତିଙ୍କ ସମ୍ପତ୍ତି ବଢ଼ାଇବା କାର୍ଯ୍ୟ କରିବେ, ସେତେବେଳେ ଶିକ୍ଷା, ରୋଜଗାର ବ୍ୟବସ୍ଥା ସବୁ ବିପଦରେ ରହିବ।

Share