ପ୍ରେମ ସମ୍ପର୍କ ରଖିବାରୁ ହତ୍ୟା କରି ଫିଙ୍ଗି ଦେଲୁ

ସମ୍ବଲପୁର,୩୦ା୪(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ପାଓ୍ବାର ଚ୍ୟାନେଲରୁ କ୍ଷେତରାଜପୁର ଥାନା ପୋଲିସ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଜବତ କରିଛି। ସେ ହେଲେ ସଦର ଥାନା ବଡସାହିର ସୁବିନ୍ଦ କୁଅଁର (୩୦)। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ହତ୍ୟା ମାମଲା (ନଂ.୧୨୧/୨୨) ରୁଜୁ କରିଛି। ତଦନ୍ତ ପରେ ପୋଲିସ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ସୁଜିତ ବାଦୀ ଓ ରାଧାକାନ୍ତ ସୁନାଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

ପୋଲିସ ସୂଚନା ଅନୁସାରେ ସୁବିନ୍ଦଙ୍କ ସେହି ଅଞ୍ଚଳର ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଗତ ୨୬ ତାରିଖରେ ମହିଳା ଜଣଙ୍କ ସୁବିନ୍ଦଙ୍କୁ ଫୋନ କରି ଡାକିଥିଲେ। ଉଭୟ ସମଲେଇ ମନ୍ଦିରରେ ଭେଟ ହେବା ପରେ ଘରକୁ ଫେରିଥିଲେ। ମହିଳାଙ୍କ ପରିବାର ଏହା ଜାଣିବା ପରେ ସୁବିନ୍ଦଙ୍କୁ ମାରପିଟ କରିଥିଲେ। ପ୍ରବଳ ମାଡ଼ ଯୋଗୁ ଗୁରୁତର ହୋଇ ସୁବିନ୍ଦଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା କରିବା ପରେ ଅଭିଯୁକ୍ତମାନେ ପଥରରେ ହାତଗୋଡ଼ ବାନ୍ଧି ପାଓ୍ବାର ଚ୍ୟାନେଲରେ ଫିଙ୍ଗି ଦେଇଥିଲେ। ପୋଲିସ ଜେରା ପରେ ଗିରଫ ଦୁଇ ଅଭିଯୁକ୍ତ ଏହା ସ୍ବୀକାର କରିଥିଲେ। ଏଣେ ସୁବିନ୍ଦ ଘରକୁ ନ ଫେରିବାରୁ ପରିବାର ବର୍ଗ ଖୋଜାଖୋଜି କରି ପୂର୍ବରୁ ସଦର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ହେଲେ ସୁବିନ୍ଦଙ୍କଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଜାଣିବା ପରେ ଗୁରୁବାର ରାତିରେ ଥାନା ଘେରାଉ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ରାତି ହୋଇଯିବାରୁ ପୋଲିସ ଉଦ୍ଧାର କାର୍ଯ୍ୟ କରିପାରି ନ ଥିଲା। ଶୁକ୍ରବାର ପୋଲିସ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଥିଲେ। ତେବେ ପରକୀୟା ପ୍ରୀତି ଯୋଗୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ କହିଛି।