Categories: ଜାତୀୟ

‘ଆମେ କେବଳ ସଂସଦର ଅଧିବେଶନକୁ ଡାକିଛୁ, ବିପକ୍ଷ କାହିଁକି ଏତେ ଭୟଭୀତ’

ନୂଆଦିଲ୍ଲୀ,୧ା୯: କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ବିରୋଧୀଦଳ ସରକାରଙ୍କ ଏହି ପଦକ୍ଷେପକୁ ସମାଲୋଚନା କରି ଏହାକୁ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି। ଏହାର ଜବାବରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିପକ୍ଷଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆମେ କେବଳ ସଂସଦର ଅଧିବେଶନକୁ ଡାକିଛୁ, ସେମାନେ କାହିଁକି ଏତେ ଭୟଭୀତ ବୋଲି ସେ ପ୍ରଶ୍ନ କରିଛନ୍ତି।
ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ସଂସଦର ସ୍ବତନ୍ତ୍ର ଅଧିବେଶନ ଅଣାଯାଇଛି। ଆସନ୍ତା ୨-୩ ଦିନ ମଧ୍ୟରେ ଆମେ ସମସ୍ତଙ୍କ ସହ ସଂସଦ ଅଧିବେଶନର ଏଜେଣ୍ଡା ବାଣ୍ଟିବୁ। ତେବେ ‘ଏକ ଦେଶ, ଏକ ନିର୍ବାଚନ’ ସଂକ୍ରାନ୍ତ ବିଲ୍‌ ଏହି ଅଧିବେଶନରେ ଆସିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଏ ନେଇ ବିରୋଧୀ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହାର ଜବାବରେ ଯୋଶୀ କହିଛନ୍ତି, ଯଦିଓ ସେହି ବିଲ ଆସେ, ତେବେ ଏହା ଗୃହରେ ଆଲୋଚନା ହେବ। ସେ ଏ ବିଷୟରେ ଏତେ ଭୟଭୀତ କାହିଁକି? ସେମାନେ ଭୟ କରିବା ଆଦୌ ଉଚିତ୍‌ ନୁହେଁ।

ଯଦି ବିକାଶଶୀଳ ଦେଶରେ ଗଣତନ୍ତ୍ରର ବିକାଶ ହୁଏ, ତେବେ ଏଥିରେ କ’ଣ ଭୁଲ ଅଛି, ୧୯୬୦-୬୭ରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏକକାଳୀନ ନିର୍ବାଚନ ଦେଶକୁ ଶକ୍ତିଶାଳୀ କରେ।

Share