ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବିଭିନ୍ନ ଜଣାଶୁଣା ବ୍ୟକ୍ତି, କବି, ଲେଖକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ଉତ୍ସବରେ ସଭାପତି ତ୍ରିନାଥ ନାୟକ, ମୁଖ୍ୟବକ୍ତା ରୂପେ ପ୍ରାକ୍ତନ ଅଧ୍ୟକ୍ଷ ଲମ୍ବୋଦର ପାଣିଗ୍ରାହୀ, କବି ପ୍ରଶାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ କୃତୀବାସ ବିଶାଳ, ବରିଷ୍ଠ ଆଇନଜୀବୀ ସନ୍ତୋଷ ତିଆଡିଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତ୍ରିନାଥ ଫାଉଣ୍ଡେଶନ ଓ ବ୍ରହ୍ମପୁରସ୍ଥିତ ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ତରଫରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଥିଲା। ତ୍ରିନାଥ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର-ପ୍ରସାରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଡ. ଲମ୍ବୋଦର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଉଦ୍‌ବୋଧନ ଦେଇ ଗଞ୍ଜାମର ଗୌରବମୟ ସାହିତ୍ୟ ଓ ସାଂସ୍କୃତିକ ପରମ୍ପରାକୁ ଆଗକୁ ନେବା ପାଇଁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବନମାଳୀ ପାଣିଗ୍ରାହୀ, କବି ପ୍ରଶାନ୍ତ ମହାନ୍ତି, ରୋଟାରୀ କ୍ଲବ୍‌ ସଭାପତି ରଞ୍ଜିତ କୁମାର ବାରିକ ଏବଂ ଇନର ହ୍ବିଲ କ୍ଲବ୍‌ର ସଭାନେତ୍ରୀ ସୁନିତା ବାରିକ ଉପସ୍ଥିତ ରହି ନିଜ ଅଭିଭାଷଣରେ ସାହିତ୍ୟ, କଳା ଓ ସଂସ୍କୃତିର ବିକାଶ ପାଇଁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ଆୟୋଜିତ ସଭାରେ ଜଗବନ୍ଧୁ ଜେନା ସଭାପତିତ୍ୱ କରିଥିବା ବେଳେ ଉପସ୍ଥିତ ଅତିଥି ଓ ସଭ୍ୟମାନଙ୍କୁ ସ୍ବାଗତ ଜଣାଇଥିଲେ ସମ୍ପାଦକ ତ୍ରିନାଥ ବେହେରା। ଉପସଭାପତି ସନ୍ତୋଷ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହ ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା।

Dharitri – Odisha’s No.1 Odia Daily

Share
Tags: Odia Asmita