ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ। ଏହି ଅବସରରେ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ବ୍ରହ୍ମପୁର ଡିଏଫଓ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ଡିଏଫଓ ସୋନି ଖୋଖର ଅଧ୍ୟକ୍ଷତା କରିଥିଲେ। ଏଥିରେ ଭାଜପା ଗଞ୍ଜାମ ଜିଲା ସଭାପତି ସରୋଜ କୁମାର ସାବତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହି ଅବସରରେ ସେ କହିଥିଲେ ଯେ, ତୈଳ ସଂରକ୍ଷଣ ପାଇଁ ଆଜିର ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଉଛି। ଆମେ ଆମର ଦୈନନ୍ଦିନ କିଛି ଅଭ୍ୟାସକୁ ବଦଲାଇବାକୁ ପଡିବ। ପ୍ଲାଷ୍ଟିକ ବ୍ୟବହାର କରିବା ନାହିଁ। ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା। ନଚେତ୍ ଆଗାମୀ ପିଢ଼ି ଆମକୁ କେବେ କ୍ଷମା ଦେବେନାହିଁ। ତେଣୁ ଏଥିପ୍ରତି ସମସ୍ତେ ସଚେତନ ହେବାକୁ ଜିଲ୍ଲା ସଭାପତି ଉପସ୍ଥିତ ଲୋକଙ୍କୁ ଆହ୍ବାନ କରିଥିଲେ। ଭଞ୍ଜନଗର ଡିଏଫଓ ହିମାଂଶୁ ଶେଖର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯେଉଁ ଉଦ୍ଦେଶ୍ୟରେ ପୁରସ୍କାର ପ୍ରଦାନ କରାଗଲା ତାହାକୁ ବଜାୟ ରଖିବା ପାଇଁ ଉପସ୍ଥିତ ଲୋକଙ୍କୁ ଆହ୍ବାନ କରିଥିଲେ।
ଏଥିସହ ସେ କହିଥିଲେ ଯେ, ଫଳନ୍ତି ଗଛ ଆମେ ଜଙ୍ଗଲରେ ଅଧିକରୁ ଅଧିକ ଲଗାଇବା ଯୋଜନା କରୁଛି। ଏହାଦ୍ୱାରା ପରିବେଶ ସୁରକ୍ଷିତ ରଖିବା ସହ ବନ୍ୟପ୍ରାଣୀଙ୍କୁ ଖାଦ୍ୟ ମିଳିବ। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା। ଫଟୋ ଉଠାରେ ଆମମାନଙ୍କର ଚିନ୍ତାଧାରା
ସୀମିତ ନ ରହୁ ବୋଲି ଡିଏଫଓ ମହାନ୍ତି କହିଥିଲେ। ଓଏସଏପି ୮ମ ବାଟାଲିୟନ ସିଓ ସାରଦା ପ୍ରସନ୍ନ ଦାସ ଅନ୍ୟତମ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଇକୋ କ୍ଲବ ଜିଲା ସଂଯୋଜକ ଡଃ ଶଙ୍କର ନାରାୟଣ ବେଞ୍ଜ ସଭାକୁ ସଂଯୋଜନା କରିଥିବାବେଳେ ଏସିଏଫ ସସ୍ମିତା ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ।
ଏହି ଅବସରରେ ଜିଲାର ୨୧ ଅନୁଷ୍ଠାନକୁ ପ୍ରକୃତି ମିତ୍ର ଏବଂ ୨୧ ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେଥିମଧ୍ୟରେ ଗଞ୍ଜାମ ଜିଲା ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଗଣେଷ ସାହୁ ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପାଇଁ ପୁରଷ୍କାର ଗ୍ରହଣ କରିଥିବାବେଳେ, ଭଞ୍ଜନଗର ଶ୍ରୀ ଅରବିନ୍ଦ ଶକ୍ତିମୟୀ ଟ୍ରଷ୍ଟର ଟ୍ରଷ୍ଟି ଅଧ୍ୟାପକ ବାବୁଲା ପ୍ରଧାନ ପ୍ରକୃତି ମିତ୍ର ପୁରସ୍କାର ଗ୍ରହଣ କରିଥିଲେ। ଏଥିସହ ନେଟେଙ୍ଗାର ସବୁଜ ବାହିନୀକୁ ମଧ୍ୟ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ସିଆରସିସି ଦ୍ୟୁତିକୃଷ୍ଣ ଲେଙ୍କା ଏବଂ ଅନ୍ୟମାନେ ପୁରସ୍କାର ଗ୍ରହଣ କରିଥିଲେ। ନୂଆପଡା ଏନଏସବି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ସରୋଜ କୁମାର ଦାସ ମଧ୍ୟ ପ୍ରକୃତି ମିତ୍ର କଲେଜ ପାଇଁ ପୁରସ୍କାର ଗ୍ରହଣ କରିଥିଲେ । ମୋଟାବାଡ଼ି ଗୋପୀନାଥ ବିଦ୍ୟାପୀଠ ପ୍ରମୁଖ ଅନୁଷ୍ଠାନକୁ ମଧ୍ୟ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ପ୍ରମୁଖଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିନରେ ଥିବା ବିଭିନ୍ନ ମହାବିଦ୍ୟାଳୟର ଶାଖା ଗୁଡ଼ିକ ଏବଂ ଯୋଜନା ଅଧିକାରୀ ମାନେ ପରିବେଶ ସୁରକ୍ଷା ପାଇଁ ଗତ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସେବା କରିଛନ୍ତି। ତେଣୁ ଆଜି ୩ଟି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖାକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡା ଏବଂ ତତ୍କାଳୀନ କୁଳପତି ଡ ଗୀତାଞ୍ଜଳି ଦାସଙ୍କ ପ୍ରେରଣା ଯୋଗୁ ଏହି ସଫଳତା ମିଳିଛି। ତେଣୁ ଏନେଇ ଜିଲା ଯୋଜନା ଅଧିକାରୀ ଗଣେଶ ସାହୁ ଏବଂ ଅନ୍ୟମାନେ କୂଳପତି ଏବଂ ବ୍ୟୁରୋ ଅଧିକାରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।