‘ଆମେ ମଣିଷ, ମେସିନ୍‌ ନୁହେଁ’; ଗମ୍ଭୀରଙ୍କ ବୟାନ ପରେ ଏଭଳି କହିଲେ ଆୟର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳର ବ୍ୟାଟରଙ୍କ ଖରାପ ପ୍ରଦର୍ଶନକୁ ନେଇ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଚିନ୍ତା ପ୍ରକଟ କରିଥିବା ବେଳେ ଏଥିରେ ଭିନ୍ନ ମତ ରଖିଛନ୍ତି ଅଧିନାୟକ ଶ୍ରେୟସ ଆୟର । ଆୟରଙ୍କ କହିବା ଅନୁସାରେ, ନ୍ୟୁଜିଲାଣ୍ଡର ପିଚ୍‌କୁ ଦକ୍ଷିଣ ଆଫ୍ରିକାର ପିଚ୍‌ ସହ ତୁଳନା କରାଯାଇପାରିବ ନାହିଁ । ପୂରା ସିରିଜ୍‌ରେ ଉଭୟ ଦଳର ବୋଲରଙ୍କ ଦବ୍‌ଦବା ରହିଥିଲା। ତାଙ୍କ ମତରେ, ଦଳର ମୁଖ୍ୟ ଲକ୍ଷ୍ୟ ସିରିଜ୍‌ ଜିତିବା ଥିଲା ଏବଂ ଭାରତ ୩-୧ରେ ସିରିଜ୍‌ ଜିତି ସେହି ଲକ୍ଷ୍ୟ ହାସଲ କରିଛି।

ସାମ୍ବାଦିକ ସମ୍ମିଳନୀରେ ଶ୍ରେୟସ ଆୟର କହିଛନ୍ତି ଯେ, ନ୍ୟୁଜିଲାଣ୍ଡର ପିଚ୍‌କୁ ଦକ୍ଷିଣ ଆଫ୍ରିକାର ପିଚ୍‌ ସହ ତୁଳନା କରିବା ଠିକ୍‌ ନୁହେଁ । କାରଣ ଉଭୟ ସ୍ଥାନର ପାଣିପାଗ ଓ ଖେଳ ପରିସ୍ଥିତି ଭିନ୍ନ। ଏହି ସିରିଜ୍‌ରେ ପିଚ୍‌ ବୋଲରଙ୍କୁ ଅଧିକ ସହାୟତା କରିଥିଲା। ଫଳରେ ଉଭୟ ଦଳର ବ୍ୟାଟରଙ୍କୁ ରନ୍‌ କରିବାରେ ସଂଘର୍ଷ କରିବାକୁ ପଡ଼ିଥିଲା ଏବଂ ବଡ଼ ସ୍କୋର ଦେଖିବାକୁ ମିଳିନଥିଲା। କଠିନ ପରିସ୍ଥିତି ସତ୍ତ୍ୱେ ଭାରତ ସିରିଜ୍‌ ଜିତିବାରେ ସଫଳ ହୋଇଛି । ତେଣୁ ଛୋଟମୋଟ କଥାକୁ ନେଇ ଅଧିକ ଚିନ୍ତା କରୁନାହାନ୍ତି ବୋଲି ଆୟର କହିଛନ୍ତି।

ଶୁଭମନ ଗିଲ୍‌ଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ଶ୍ରେୟସ ଆୟରଙ୍କ ବ୍ୟାଟ୍‌ ଏହି ଗସ୍ତରେ ବିଶେଷ ଚାଲିନାହିଁ । ଏହା ପରେ ସର୍ଟ ବଲ୍‌ ବିପକ୍ଷରେ ତାଙ୍କ ଦୁର୍ବଳତା ପୁଣି ଚର୍ଚ୍ଚାକୁ ଆସିଛି। ବିଦେଶୀ ପିଚ୍‌ରେ ବ୍ୟାଟିଂ କରିବାର ଆହ୍ୱାନ ସମ୍ପର୍କରେ ଆୟର କହିଛନ୍ତି ଯେ, ବିଦେଶରେ ସେଣ୍ଟର ୱିକେଟ୍‌ରେ ଅଭ୍ୟାସ କରିବାର ସୁଯୋଗ ମିଳେନାହିଁ । ଖୋଲା ନେଟ୍‌ରେ ଅଭ୍ୟାସ କରିବାକୁ ପଡ଼େ, ଯେଉଁଠାରେ ପରିସ୍ଥିତି ମ୍ୟାଚ୍‌ଠାରୁ ଭିନ୍ନ ଥାଏ। ତେଣୁ ବଲ୍‌ କେଉଁ ଦିଗକୁ ଯିବ ତାହା ଆକଳନ କରିବା କଷ୍ଟକର ହୋଇଥାଏ।

ଏହା ସହ ଲଗାତାର ମ୍ୟାଚ୍‌ ଖେଳିବା ଓ ଯାତ୍ରା କରିବାର ଥକାପଣ ମଧ୍ୟ ଖରାପ ପ୍ରଦର୍ଶନର ଏକ କାରଣ ବୋଲି ସେ କହିଛନ୍ତି। ଆୟରଙ୍କ କହିବା କଥା, ସେ କୌଣସି ରୋବୋଟ୍‌ କିମ୍ବା ମେସିନ୍‌ ନୁହନ୍ତି, ଜଣେ ମଣିଷ। ଦିନିକିଆ କ୍ରିକେଟ୍‌ରେ ଭାରତର ଦ୍ୱିତୀୟ ବୃହତ୍‌ ପରାଜୟ ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି ଆୟର। ସେ କହିଛନ୍ତି, ଦଳ ସେହି ପରାଜୟକୁ ଖୁବ୍‌ ଶୀଘ୍ର ଭୁଲି ଆଗକୁ ବଢ଼ିଥିଲା। ପରଦିନ ହିଁ ସମସ୍ତେ ସେହି ଘଟଣାକୁ ପଛରେ ପକାଇ ଦେଇଥିଲେ।

ମ୍ୟାଚ୍‌ରେ କ’ଣ ଭୁଲ୍‌ ହୋଇଥିଲା, ସେନେଇ ଦଳରେ ଅଧିକ ଆଲୋଚନା ହୋଇନଥିଲା। ଏହା କେବଳ ଗୋଟିଏ ଖରାପ ଦିନ ଥିଲା ଏବଂ ପ୍ରତିପକ୍ଷ ଦଳ ମଧ୍ୟ ଜିତିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇଥିଲା ବୋଲି ସେ କହିଛନ୍ତି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନରୀଙ୍କ ବୋଲିଂକୁ ମଧ୍ୟ ଆୟର ଖୁବ୍‌ ପ୍ରଶଂସା କରିଥିଲେ। ତାଙ୍କ ବୋଲିଂ ଘାତକ ଓ ଚମତ୍କାର ଥିଲା ବୋଲି କହିବା ସହ ନ୍ୟୁଜିଲାଣ୍ଡ ଦଳ ସେହି ବିଜୟର ସମସ୍ତ ଶ୍ରେୟ ପାଇବାକୁ ହକ୍‌ଦାର ବୋଲି ମତ ଦେଇଥିଲେ ।

 

Dharitri – Odisha’s No.1 Odia Daily

Share