Categories: ଖେଳ

ମହିଳା ଆଇପିଏଲ୍‌ ନେଇ ଗାଙ୍ଗୁଲିଙ୍କ ଘୋଷଣା

ନୂଆଦିଲ୍ଳୀ,୨।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମହିଳା ସଂସ୍କରଣ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ଘୋଷଣା କରିଛନ୍ତି। ମହିଳା ଆଇପିଏଲ ବା ଚ୍ୟାଲେଞ୍ଜର୍ସ ସିରିଜ୍‌ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି।
ପୁରୁଷ ଆଇପିଏଲ୍‌ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ କିମ୍ବା ୧୦ ମଧ୍ୟରେ ଆୟୋଜନ ହେବ। ଫାଇନାଲ ତାରିଖ ଏପର୍ଯ୍ୟନ୍ତ ଅବଶ୍ୟ ଘୋଷଣା କରାଯାଇ ନାହିଁ। ମହିଳା ଆଇପିଏଲ୍‌ ମଧ୍ୟ ଏହି କାର୍ଯ୍ୟସୂଚୀ ସହ ମେଳ ଖାଇବ ବୋଲି ଗାଙ୍ଗୁଲି କହିଛନ୍ତି। ମହିଳା ଆଇପିଏଲ୍‌ ଆୟୋଜନ ନେଇ ଆମେ କାର୍ଯ୍ୟ କରୁଛୁ ଓ ଜାତୀୟ ମହିଳା ଦଳ ନେଇ ମଧ୍ୟ ଆମର ଯୋଜନା ରହିଛି ବୋଲି ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ବୈଠକ ପୂର୍ବରୁ ସେ କହିଛନ୍ତି। ମହିଳା ଚ୍ୟାଲେଞ୍ଜର ଟ୍ରଫି ଗତବର୍ଷ ଭଳି ଆଇପିଏଲ୍‌ର ଅନ୍ତିମ ପର୍ଯ୍ୟାୟରେ ଆୟୋଜନ ହେବ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୧ରୁ ୧୦ ମଧ୍ୟରେ ମହିଳା ଚ୍ୟାଲେଞ୍ଜର ସିରିଜ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପୂର୍ବରୁ ଏକ କ୍ୟାମ୍ପର ମଧ୍ୟ ଆୟୋଜନ ହେବ। ଚୁକ୍ତିବଦ୍ଧ ମହିଳା ଖେଳାଳିଙ୍କ ପାଇଁ କ୍ୟାମ୍ପ ଆୟୋଜନ ହେବ। ଦେଶରେ ଦେଖାଦେଇଥିବା କରୋନ ସ୍ଥିତି ଯୋଗୁ ଏଥିରେ ବିଳମ୍ବ ହୋଇଛି ବୋଲି ଗାଙ୍ଗୁଲି କହିଛନ୍ତି। କୋଭିଡ୍‌-୧୯ କାରଣରୁ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମଧ୍ୟ ବନ୍ଦ ରହିବ। ଏହା ସତ୍ତ୍ୱେ ମହିଳା କ୍ରିକେଟରଙ୍କ ପାଇଁ କ୍ୟାମ୍ପ ଆୟୋଜନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୁଣି ନ୍ୟୁଜିଲାଣ୍ଡରେ ଦିନିକିଆ ବିଶ୍ୱକପ୍‌ ଖେଳିବା ପୂର୍ବରୁ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏକ ପୂରା ସୀମିତ ଓଭର ସିରିଜ ଖେଳିବା ନେଇ ବିସିସିଆଇ କ୍ରିକେଟ ଅପରେଶନ ଟିମ୍‌ କାର୍ଯ୍ୟସୂଚୀ ସ୍ଥିର କରିବାକୁ ପ୍ରୟାୟ ଆରମ୍ଭ କରୁଛି।

Share