ବାସ୍ତୁଦୋଷ ଦୂର କରିବାର ଉପାୟ

ଘରେ ବାରମ୍ବାର କଳହ ଲାଗିବା, ଉନ୍ନତି ପଥରେ ବାଧା ଉପୁଜିବା, ରୋଜଗାର ତୁଳନାରେ ଖର୍ଚ୍ଚ ବଢିବା, ରୋଗବ୍ୟାଧି ଲାଗି ରହିବା ଇତ୍ୟାଦି ହେଉଛି ବାସ୍ତୁଦୋଷର ଗୋଟିଏ ଗୋଟିଏ ଲକ୍ଷଣ। ଏଥିରୁ ମୁକ୍ତି ପାଇବାକୁ ବାସ୍ତୁଶାସ୍ତ୍ରରେ କିଛିଟା ସହଜ ଉପାୟ କୁହାଯାଇଛି। ଯେମିତିକି…
ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ସହ ଭଲ ଆଲୋକ ବ୍ୟବସ୍ଥା କଲେ, ଘରକୁ ସହଜରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେନି; ଯଦ୍ଦ୍ବାରା ଘରେ ବାସ୍ତୁ ସମସ୍ୟା ଦେଖାଯାଏ ନାହିଁ।
ଘରେ ଲାଗିଥିବା କୌଣସି ଟ୍ୟାପ୍‌ରୁ ଯେମିତି ପାଣି ଲିକ୍‌ କରୁ ନ ଥିବ ସେଥିପ୍ରତି ଧ୍ୟାନ ଦେବେ। ତା’ସହିତ ଜଳ ନିଷ୍କାସନର ବ୍ୟବସ୍ଥା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ କଲେ ମଧ୍ୟ ଘରେ ବାସ୍ତୁଦୋଷ ଠିକ୍‌ ରହିଥାଏ ବୋଲି କୁହାଯାଏ।
ସେହିପରି ପାଣି ଟାଙ୍କିକୁ ଘରର ଉତ୍ତର-ପୂର୍ବ ଦିଗରେ ରଖିବା ଦ୍ୱାରା ବି ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ।
ଅନ୍ୟପକ୍ଷେ ଘରର ବାଥ୍‌ରୁମ୍‌କୁ ସର୍ବଦା ସଫା ରଖିବା ଦରକାର। ଏଠାରୁ ଯେମିତି ଦୁର୍ଗନ୍ଧ ବାହାରୁ ନଥିବ ସେଥିପ୍ରତି ବି ଧ୍ୟାନଦେଲେ ଘରେ ବାସ୍ତୁଦୋଷ ଉପୁଜେ ନାହିଁ।
ଗୃହରେ କେବେବି ଗୋଟିଏ ରେଖାରେ ତିନୋଟି କବାଟ ରହିବା ଉଚିତ୍‌ ନୁହେଁ। ଏହାଦ୍ୱାରା ବି ବାସ୍ତୁଦୋଷ ଉପୁଜିଥାଏ।
ଘରେ କେବେ ବି କୌଣସି ଭଙ୍ଗାରୁଜା ଜିନିଷ କିମ୍ବା ଅଳିଆ ଆବର୍ଜନାକୁ ଗଦେଇକରି ରଖିବା ଠିକ୍‌ ନୁହେଁ। ଏହାର କୁପ୍ରଭାବ ମଧ୍ୟ ଘରର ସୁଖଶାନ୍ତି ଉପରେ ପଡିଥାଏ।