Categories: ଖେଳ

ଡବ୍ଲ୍ୟୁଟିସି ଫାଇନାଲ ହେବ ଏହି କ୍ରିକେଟରଙ୍କ ଲାଗି ଅନ୍ତିମ ମ୍ୟାଚ୍‌

ଅକ୍‌ଲାଣ୍ଡ,୧୨।୫: ଇଂଲଣ୍ଡର ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍‌। ଏହା ହୋଇପାରେ ନ୍ୟୁଜିଲାଣ୍ଡର ବରିଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌। ଏହି ମ୍ୟାଚ୍‌ ପରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବେ ବୋଲି ୩୫ ବର୍ଷୀୟ ଓ୍ବାଟଲିଂ ବୁଧବାର ଘୋଷଣା କରିଛନ୍ତି।

୨୦୦୯ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଓ୍ବାଟଲିଂ ନ୍ୟୁଜିଲାଣ୍ଡ ପାଇଁ ୭୩ ଟେଷ୍ଟ ଓ ୨୮ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ତେବେ ଉଇକେଟକିପର ଭାବେ ସେ ଅନ୍ତର୍ଜାତୀୟ ସ୍ତରରେ ଖେଳିଛନ୍ତି ୬୫ ଟେଷ୍ଟ। ଯଦି ଇଂଲଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍‌ ଓ ଡବ୍ଲ୍ୟୁଟିସି ଫାଇନାଲରେ ଖେଳିବାକୁ ସୁଯୋଗ ମିଳେ, ତେବେ ସେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଉଇକେଟକିପର ହୋଇପାରିବେ। ବର୍ତ୍ତମାନ ଏହି ରେକର୍ଡ ଆଡାମ ପାରୋରେ(୬୭ ଟେଷ୍ଟ)ଙ୍କ ନାମରେ ରହିଛି।

ବିଶ୍ୱ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ୨୬ତମ ସ୍ଥାନରେ ଥିବା ଓ୍ବାଟଲିଂ ଲମ୍ବା ଫର୍ମାଟରେ ୩,୭୭୩ ରନ୍‌ କରିଛନ୍ତି। ଏଥିରେ ରହିଛି ୮ ଶତକ ଓ ୧୯ ଅର୍ଦ୍ଧଶତକ। ନ୍ୟୁଜିଲାଣ୍ଡର ପ୍ରଥମ ଉଇକେଟକିପର ଭାବେ ଓ୍ବାଟଲିଂ ହାସଲ କରିଥିଲେ ଦ୍ୱିଶତକ।

Share