ଖଣ୍ଡାଧାର ଜଳପ୍ରପାତ

କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳାଠାରେ ପ୍ରାକୃତିକ ସବୁଜିମା ପରିବେଶ ମଧ୍ୟରେ ରହିଛି ଖଣ୍ଡାଧାର ଜଳପ୍ରପାତ। ଏହି ପ୍ରକୃତିଦତ୍ତ ଜଳପ୍ରପାତ ଓ ଏଠାକାର ଥଣ୍ଡା ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ପ୍ରାୟ ୭ଶହ ଫୁଟ୍‌ ଉପରୁ ଲମ୍ଫ ପ୍ରଦାନ କରୁଥିବା ଜଳରାଶି ତଳେ ପାହାଡ଼ କାନ୍ଥ ଓ ପଥରରେ ପିଟି ହୋଇ କୁହୁଡିଆ ପରିବେଶ ସୃଷ୍ଟି କରିଥାଏ। ଏହି ଜଳରାଶି ଉପରେ ସୂର୍ଯ୍ୟଙ୍କ ତୀର୍ଯକ କିରଣ ପଡିଲେ ଭାସମାନ ଇନ୍ଦ୍ରଧନୁର ମନୋରମ ଦୃଶ୍ୟ ଅତ୍ୟନ୍ତ ରୋମାଞ୍ଚକର। ବିଶେଷ କରି ଶୀତଋତୁରେ ଜିଲା ଓ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ବୁଲିବା ସହ ଏହି ଜଳପ୍ରପାତରେ ଗାଧୋଇବା, ତଳକୁ ପ୍ରବାହିତ ନଦୀ କୂଳରେ ପିକ୍‌ନିକ୍‌ କରିବାର ଅନୁଭୂତି ନିଆରା। ପର୍ଯ୍ୟଟନ ବିଭାଗ, ବନ ବିଭାଗ ତଥା ସ୍ଥାନୀୟ ଲୋକଙ୍କ ସହାୟତାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି। ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ଅଙ୍କାବଙ୍କା ରାସ୍ତାରେ ଯିବା ସମୟରେ ସବୁଜ ପରିବେଶ , ପାହାଡ଼ିଆ ଝରଣା, ହଳଦୀ ରଙ୍ଗର ସୋରିଷ ବା ରାଶି ଫୁଲ ତଥା ପାହାଡ଼ୀ ଫୁଲର ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ। ଖଣ୍ଡା ସଦୃଶ ଜଳରାଶି ସୁଉଚ୍ଚରୁ ତଳକୁ ଖସି ପଡୁଥିବା ଏବଂ ସୂର୍ଯ୍ୟକିରଣ ପଡି ଜଳଧାର ଚକ୍‌ ଚକ୍‌ କରୁଥିବାରୁ ଏହାର ନାମକରଣ ଖଣ୍ଡାଧାର ହୋଇଛି ବୋଲି ଅନେକେ ମତବ୍ୟକ୍ତ କରିଛନ୍ତି। ସେଠାରେ ଏକ ଶିବମନ୍ଦିର ଅଛି। ଯେଉଁଠି ମକର ସଂକ୍ରାନ୍ତି, ଶିବରାତ୍ରି ଆଦି ସମୟରେ ପୂଜାର୍ଚ୍ଚନା ହୋଇଥାଏ ଏବଂ ମେଳା ବସେ।